୫ ଦିନ ବ୍ୟାଙ୍କ ବନ୍ଦ: ଜରୁରୀ କାମ ଥିଲେ ତୁରନ୍ତ କରନ୍ତୁ

ବ୍ୟାଙ୍କରେ ଯଦି କିଛି ଜରୁରୀ କାମ ରହିଛି, ତେବେ ଏବେଠାରୁ କାମ ସାରିଦିଅନ୍ତୁ | କାରଣ ସେପ୍ଟେମ୍ବର ଶେଷ ସପ୍ତାହରେ ଲଗାତାର ୫ ଦିନ ବ୍ୟାଙ୍କ ବନ୍ଦ ରହିବ ସେପ୍ଟେମ୍ବର ୨୮, ୨୯ ଓ ୩୦ରେ United Forum of Bank Unions (UFBU) ପକ୍ଷରୁ ତିନି ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଆଉ ୨୬, ୨୭ ବି ବ୍ୟାଙ୍କ ବନ୍ଦ | ତେଣୁ ସେପ୍ଟେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ ଲଗାତାର ୫ ଦିନ ସାଧାରଣ ଶାଖା ସେବାରେ ବାଧା ଦେଖାଦେଇପାରେ। ତେବେ ଏହାର ଅର୍ଥ ସମସ୍ତ ବ୍ୟାଙ୍କର ସମସ୍ତ ସେବା ୫ ଦିନ ପୂରା ବନ୍ଦ ରହିବ ବୋଲି ନୁହେଁ; ପ୍ରଭାବ ବ୍ୟାଙ୍କ ଓ କର୍ମଚାରୀଙ୍କ ଧର୍ମଘଟରେ ଯୋଗଦାନ ଉପରେ ନିର୍ଭର କରିବ।
ଧର୍ମଘଟ ହେଲେ ବିଶେଷକରି ବ୍ୟାଙ୍କ ଶାଖାରେ ହେଉଥିବା ଚେକ୍ ସମ୍ବନ୍ଧୀୟ କାମ, ଡକ୍ୟୁମେଣ୍ଟ ଦାଖଲ, KYC ଅପଡେଟ୍, କାଉଣ୍ଟର ସେବା ଓ କର୍ମଚାରୀଙ୍କ ସହଯୋଗ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ କାମରେ ବିଳମ୍ବ ହୋଇପାରେ। ତେଣୁ ଏଭଳି କୌଣସି କାମ ବାକି ରହିଥିଲେ ସେପ୍ଟେମ୍ବର ୨୬ ପୂର୍ବରୁ ସାରିନେବା ଭଲ। ଧର୍ମଘଟ ପୂର୍ବରୁ State Bank of India (SBI) ମଧ୍ୟ ଗ୍ରାହକଙ୍କୁ ସତର୍କ କରିଛି। ବ୍ୟାଙ୍କ କହିଛି, ଧର୍ମଘଟ ସମୟରେ ଜରୁରୀ ସେବା ଚାଲୁ ରଖିବାକୁ ବ୍ୟବସ୍ଥା କରାଯାଉଛି, କିନ୍ତୁ ଶାଖା କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେଥିପାଇଁ ଗ୍ରାହକମାନେ ଆଗୁଆ ଜରୁରୀ ବ୍ୟାଙ୍କିଂ କାମ ସାରିଦେବାକୁ ପରାମର୍ଶ ଦିଆଯାଇଛି।
ଧର୍ମଘଟ ସମୟରେ ATM ଓ Automated Deposit and Withdrawal Machine (ADWM) ମାଧ୍ୟମରେ ନଗଦ କାରବାର କରିହେବ। ସେହିପରି Internet Banking, YONO, Mobile Banking ଓ UPI ଭଳି ଡିଜିଟାଲ୍ ସେବା ଜରିଆରେ ଦୈନନ୍ଦିନ ଟଙ୍କା ପଠାଇବା, ବିଲ୍ ପେମେଣ୍ଟ ଓ ଅନ୍ୟାନ୍ୟ ଅନଲାଇନ୍ କାରବାର କରିହେବ। Union Bank of India ମଧ୍ୟ ଗ୍ରାହକଙ୍କୁ ଏଭଳି ବିକଳ୍ପ ଡିଜିଟାଲ୍ ଚ୍ୟାନେଲ୍ ବ୍ୟବହାର ପାଇଁ କହିଛି।




