
ପୁଣି ଚିନ୍ତା ବଢ଼ାଇଲାଣି ଲଘୁଚାପ ବର୍ଷା | ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବେହାଲ ସାରା ରାଜ୍ୟ | କିଛି ଜିଲ୍ଲାରେ ସକାଳୁ ସକାଳୁ ବର୍ଷା ଲାଗି ରହିଛି | ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ସେପଟେ ଆସନ୍ତାକାଲି ଉତ୍ତର ଓ ଉପକୂଳ ଓଡିଶାର ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେପଟେ ଲଗାଣ ବର୍ଷାରେ ବେହାଲ ମାଲକାନଗିରି। ଗତ ଗୁରୁବାରଠାରୁ ଜିଲ୍ଲାରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫୁଲିଛି ନଦୀନାଳ, ଜାତୀୟ ରାଜପଥ ୩୨୬ର କାଙ୍କରକୁଣ୍ଡା ଏବଂ ପୋଟେରୁ ପୋଲ ଉପରେ ଚାଲିଛି ବନ୍ୟାଜଳ। ଫଳରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼କୁ ଯୋଗାଯୋଗ ପ୍ରଭାବିତ ହୋଇଛି। ଆଜି ପାଇଁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ତେଣୁ ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ବର୍ଷା ନେଇ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ପାଇଁ ନିର୍ଦ୍ଦେଶ ରହିଛି। ଆଗକୁ ବର୍ଷା ଆହୁରି ବଢ଼ିଲେ ସ୍ଥିତି ଅଧିକ ଗମ୍ଭୀର ହେବା ଆଶଙ୍କା ରହିଛି। ସ୍ଥିତି ଉପରେ ପ୍ରଶାସନ ଓ ପୋଲିସର କଡ଼ା ନଜର ରହିଛି।




