ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର: ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗଣମାଧ୍ୟମକୁ ବନ୍ୟା ପରିସ୍ଥିତି ସମ୍ପର୍କରେ ସୂଚନା ଦେବା ସହିତ ଦିଲ୍ଲୀ ଗସ୍ତ ସମ୍ପର୍କରେ ମଧ୍ୟ ବିବୃତି ରଖିଥିଲେ। ଗତ କାଲି ମୁଖ୍ୟମନ୍ତ୍ରୀ ତିନି ଦିନିଆ ଦିଲ୍ଲୀଗସ୍ତରୁ ଫେରିବା ପରେ ଆଜି କହିଛନ୍ତି ଯେ, ଦିଲ୍ଲୀରେ ମହାନଦୀ ଜଳବିବାଦ ସମ୍ପର୍କିତ ବୈଠକରେ ଯୋଗଦେବା ରାଜ୍ୟ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ କହିଥିଲେ ଯେ, ୩୦ ତାରିଖ ଦିନ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି.ଆର୍ ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଇଙ୍କ ସହିତ ସେ ଯୋଗଦେଇଥିଲେ। ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ଆପୋଷ ସମାଧାନ ପାଇଁ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବୈଠକରେ ଓଡିଶାର ଜନସାଧାରଣଙ୍କ ସ୍ୱାର୍ଥ ଓ ଅଧିକାର, ଚାଷୀକୂଳର ହିତ ଏବଂ ପରିବେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ସମାଧନର ପନ୍ଥା ନିର୍ଦ୍ଧାରଣ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। କେନ୍ଦ୍ରୀୟ ଜଳ କମିଶନ ଅଧ୍ୟକ୍ଷଙ୍କ ଅଧିନରେ ଗଠିତ ଏକ ଟେକ୍ନିକାଲ୍ କମିଟି ଆସନ୍ତା ୩ ମାସ ମଧ୍ୟରେ ମହାନଦୀ ଟ୍ରିବ୍ୟୁନାଲକୁ ଏହାର ରିପୋର୍ଟ ପ୍ରଦାନ କରିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହାଦ୍ୱାରା ମହାନଦୀ ଜଳ ସମସ୍ୟାର ସମାଧାନ ବାହାରିବ ଏବଂ ଆସନ୍ତା ଦୀପାବଳୀ ଆମ ପାଇଁ ଶୁଭଙ୍କର ହେବ ।




