Uncategorized
ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ: ଜଣେ ପୋଲିସ ଯବାନ ସହିଦ


ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଅନନ୍ତନାଗ ସହରସ୍ଥିତ ଲାଲ ଚୌକ ଅଞ୍ଚଳରେ ଏକ ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ଜଣେ ପୋଲିସ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଜଣକ ଆଇଆରପି ୩ୟ ବାଟାଲିୟନର ଆଶିକ୍ ହୁସେନ ବୋଲି ଚିହ୍ନଟ କରାଯାଇଛି। ସେ ବଡଗାମ ଜିଲ୍ଲା ବୀରୱାହ ଅଞ୍ଚଳର ବାସିନ୍ଦା ଥିଲେ ଏବଂ ଅମରନାଥ ଯାତ୍ରା ଡ୍ୟୁଟିରେ ନିୟୋଜିତ ଥିଲେ। ସୂଚନା ଅନୁଯାୟୀ, ଲାଲ ଚୌକ ଅଞ୍ଚଳରେ ପୋଲିସ ଦଳ ଉପରେ ଆତଙ୍କବାଦୀମାନେ ହଠାତ୍ ଆକ୍ରମଣ କରିଥିଲେ। ଏଥିରେ ଆଶିକ୍ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଜିଏମସି ଅନନ୍ତନାଗ ହସ୍ପିଟାଲକୁ ନିଆଯାଇଥିଲା; ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ପରେ ସୁରକ୍ଷା ବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ସୁରକ୍ଷା ବାହିନୀ ସମଗ୍ର ସହରର ଗତିବିଧି ଉପରେ କଡ଼ା ନଜର ରଖିଛି।




