Uncategorized

ପ୍ରଶାନ୍ତ ପଟ୍ଟନାୟକଙ୍କ ଗଳ୍ପରୁ ରୂପେଲି ପରଦାକୁ ଆସୁଛି ଚଳଚ୍ଚିତ୍ର ‘ଖ୍ରୀଷ୍ଟମାସ’, ପୋଷ୍ଟର ରିଲିଜ୍

ଭୁବନେଶ୍ୱର: ଧୀରେ ଧୀରେ ଓଡ଼ିଆ ସିନେମା ଜଗତ ତା’ର କାହାଣୀର ମୌଳିକତାକୁ ନେଇ ଯତ୍ନବାନ ହେଉଥିବା ବେଳେ ଓଡ଼ିଆ ସାହିତ୍ୟରୁ ରୂପେଲି ପରଦାକୁ ଆସିବାକୁ ଯାଉଛି ନୂଆ ଚଳଚ୍ଚିତ୍ର ‘ଖ୍ରୀଷ୍ଟମାସ’। ଏହା ଓଡ଼ିଆ ସିନେମା ଶିଳ୍ପରେ ଏକ ନିଆରା ପ୍ରୟାସ, ଯାହା ଜଣେ ଖ୍ରୀଷ୍ଟ ଧର୍ମାଲମ୍ବୀ ପରିବାରର କାହାଣୀ ଉପରେ ଆଧାରିତ। ନିକଟରେ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍ ସହ ଏହାର ଆନୁଷ୍ଠାନିକ ଘୋଷଣା କରାଯାଇଛି। ଏହା ସହିତ ନିର୍ମାତା ଏହାର ଶୁଟିଂ ଓ ପ୍ରିମିୟର ତାରିଖ ମଧ୍ୟ ପ୍ରକାଶ କରିଛନ୍ତି। ଭାରତ ଏକ ସାର୍ବଭୌମ ରାଷ୍ଟ୍ର ହୋଇଥିବା ବେଳେ ଏଠାକାର ପ୍ରତିଟି ଘରର କଥା ଗୋଟିଏ ଗୋଟିଏ ସ୍ୱତନ୍ତ୍ର କାହାଣୀ କହିଥାଏ। ସେଭଳି କିଛି ବାସ୍ତବଧର୍ମୀ କାହାଣୀକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଚଳଚ୍ଚିତ୍ରର ପରିକଳ୍ପନା କରାଯାଇଛି। “ବାପା-ମା’ଙ୍କ ନିଃସଙ୍ଗ ହୃଦୟର ଅନ୍ଧକାରକୁ ଖ୍ରୀଷ୍ଟମାସର ହଜାରେ ଆଲୋକ ମଧ୍ୟ ଲୁଚାଇ ପାରେନାହିଁ”-ଏହି ଆବେଗପୂର୍ଣ୍ଣ ଭାବନାକୁ ନେଇ ବରିଷ୍ଠ ସାମ୍ବାଦିକ ତଥା କଥାଶିଳ୍ପୀ ପ୍ରଶାନ୍ତ ପଟ୍ଟନାୟକଙ୍କ ବହୁଚର୍ଚ୍ଚିତ କ୍ଷୁଦ୍ରଗଳ୍ପ ସଂକଳନ “ପୁନଶ୍ଚ ଅନ୍ଧାର”ରେ ସନ୍ନିବେଶିତ ଗଳ୍ପ ‘ଖ୍ରୀଷ୍ଟମାସ’ ଅବଲମ୍ବନରେ ଏହି ଫିଲ୍ମ ନିର୍ମିତ ହେଉଛି। ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଲେଖକ ଶ୍ୟାମା ପ୍ରସାଦ ମିଶ୍ର। ଏହି ସିନେମା କେବଳ ଏକ ପରିବାରର କାହାଣୀ ନୁହେଁ, ବରଂ ଆଜିର ସମାଜରେ ବୃଦ୍ଧ ବାପା-ମା’ଙ୍କ ନିଃସଙ୍ଗ ଜୀବନ, ପରିବର୍ତ୍ତିତ ପାରିବାରିକ ମୂଲ୍ୟବୋଧ ଏବଂ ଭଲପାଇବା, କ୍ଷମା ଓ ସମ୍ପର୍କର ଚିରନ୍ତନ ଶକ୍ତିର ଏକ ହୃଦୟସ୍ପର୍ଶୀ ଉପସ୍ଥାପନ। ଲେଖକ ପ୍ରଶାନ୍ତ ପଟ୍ଟନାୟକଙ୍କ କହିବା ଅନୁଯାୟୀ, “ଓଡ଼ିଆ ସିନେମା ଜଗତରେ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ରୂପେ ଏକ ଖ୍ରୀଷ୍ଟ ଧର୍ମାଲମ୍ବୀ ପରିବାରର କାହାଣୀକୁ ଏଠାରେ ଦେଖାଯାଇଛି, ଯେଉଁଥିରେ ସବୁ ଧର୍ମର ସମନ୍ୱୟ ରହିଛି।

ଏହା ଏଭଳି ଏକ କାହାଣୀ ଯାହା ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିବା ସହ ସମ୍ପର୍କର ପ୍ରକୃତ ଅର୍ଥ ବୁଝାଇବ।” ଚଳଚ୍ଚିତ୍ରର କେନ୍ଦ୍ରୀୟ ଚରିତ୍ର ‘ଜନ୍ ହାମିଲଟନ୍’ ଜଣେ ଅବସରପ୍ରାପ୍ତ ରେଳୱେ ଗାର୍ଡ ସାହେବ। ନିଜର ତିନି ପୁଅ ଓ ବୋହୂଙ୍କ ସହ ଶାନ୍ତିରେ ବାକି ଜୀବନ କାଟିବାର ସ୍ୱପ୍ନ ଦେଖୁଥିବା ଜନ୍ ଓ ତାଙ୍କ ପତ୍ନୀ ମେରୀ ଧୀରେ ଧୀରେ ପରିବାର ମଧ୍ୟରେ ଅବହେଳା ଓ ଏକାକୀତ୍ୱର ଶିକାର ହୁଅନ୍ତି। ଗୋଟିଏ ଛାତ ତଳେ ରହି ମଧ୍ୟ ଦୁଇ ପିଢ଼ି ଦୁଇଟି ଭିନ୍ନ ଜଗତରେ ବଞ୍ଚନ୍ତି। ଘରର ଗୋଟିଏ ପଟେ ପୁଅ-ବୋହୂଙ୍କ କ୍ରିସମାସ ଉତ୍ସବ- ରଙ୍ଗୀନ ଆଲୋକ, ସଙ୍ଗୀତ, ସୁସ୍ୱାଦୁ ଖାଦ୍ୟ ଓ ବନ୍ଧୁମାନଙ୍କ କୋଳାହଳ। ଅନ୍ୟପଟେ ଘରର ଏକ ଛୋଟ ଅନ୍ଧାର କୋଠରୀରେ ଗୋଟିଏ ମହମବତୀର କ୍ଷୀଣ ଆଲୋକରେ ଜନ୍ ଓ ମେରୀ ନିରବରେ ନିଜ ଜୀବନର ତ୍ୟାଗ, ସ୍ନେହ ଓ ସ୍ମୃତିକୁ ରୋମନ୍ଥନ କରୁଛନ୍ତି।

ଉତ୍ସବର କୋଳାହଳ ଯେତେ ବଢ଼ିଚାଲେ, ବୃଦ୍ଧ ଦମ୍ପତିଙ୍କ ନିଃସଙ୍ଗତା ସେତେ ସ୍ପଷ୍ଟ ହୋଇଉଠେ। ପ୍ରେମ, କ୍ଷମା ଓ ଆଶାର ପର୍ବ “କ୍ରୀସମାସ” କ’ଣ ପୁଣିଥରେ ଜନ୍ ହାମିଲଟନଙ୍କ ଜୀବନରେ ଆଲୋକ ଫେରାଇ ଆଣିବ? ପୁଅ-ବୋହୂ କ’ଣ ବୁଝିପାରିବେ ବାପା-ମା’ଙ୍କ ନିଃସ୍ୱାର୍ଥପର ଭଲପାଇବାର ମୂଲ୍ୟ? ଏହି ଚଳଚ୍ଚିତ୍ର ଆଜିର ସମାଜରେ ଅନେକ ବୃଦ୍ଧ ବାପା-ମା’ଙ୍କ ବାସ୍ତବ ଜୀବନକୁ ପ୍ରତିଫଳିତ କରିବା ସହ ପରିବାର ପ୍ରତି ଦାୟିତ୍ୱ, କୃତଜ୍ଞତା ଓ ମାନବିକତାର ଏକ ଶକ୍ତିଶାଳୀ ବାର୍ତ୍ତା ଦେବ ବୋଲି ଆଶା ପ୍ରକାଶ କରିଛନ୍ତି ସୃଜନଶୀଳ ଦଳ।ଅଗଷ୍ଟ ୨୦୨୬ ଶେଷ ସପ୍ତାହରୁ ଏହାର ସୁଟିଂ ଆରମ୍ଭ ହୋଇ ସେପ୍ଟେମ୍ବର ୨୦୨୬ ସୁଦ୍ଧା ଏହାର ପ୍ରିମିୟର ହେବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଚଳଚ୍ଚିତ୍ରଟିକୁ PVR-Inox ସିନେମା ହଲ୍‌ରେ ମୁକ୍ତିଲାଭ କରିବା ପାଇଁ ଯୋଜନା ରହିଥିବା ବେଳେ ପରବର୍ତ୍ତୀ ସମୟରେ ଦେଶ ବିଦେଶର ଓଡ଼ିଆ ଦର୍ଶକଙ୍କ ପାଇଁ ଏହା ଓଟିଟି (OTT) ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ ହେବ।

ଏହି ଶୀର୍ଷକ ଘୋଷଣା କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖକ ପ୍ରଶାନ୍ତ ପଟ୍ଟନାୟକ, ନିର୍ଦ୍ଦେଶକ ଶ୍ୟାମା ପ୍ରସାଦ ମିଶ୍ର, ସହଯୋଗୀ ନିର୍ଦ୍ଦେଶକ ତଥା ଅଭିନେତା ଅରବିନ୍ଦ ଜେନା, ଅଭିନେତା ଦେବୀ ପ୍ରସାଦ (ଦେବୀ-ଡିଡି) ଏବଂ ମଞ୍ଚ ଅଭିନେତ୍ରୀ ସୋନାଙ୍କ ସମେତ ଅତିଥି ଭାବେ ମନୀଷ ପ୍ରସାଦ ମିଶ୍ର, ବରିଷ୍ଠ ସାମ୍ବାଦିକ ହର ମହାପାତ୍ର, ଅମିତ କୁମାର ଘୋଷ, ନିର୍ଦ୍ଦେଶିକା ବିୟତ ପ୍ରଜ୍ଞା ତ୍ରିପାଠୀ, ନିର୍ଦ୍ଦେଶକ ମାନସ ପରିଡ଼ା, ଆୟୁଷ, ପାର୍ଥ ପଟ୍ଟନାୟକ ଓ ପୂଜା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button