Uncategorized

ବନ୍ୟାର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ: ପ୍ରଭାବିତ ହୋଇଛନ୍ତି ୮ ଲକ୍ଷରୁ ଅଧିକ ଲୋକ

ଭୁବନେଶ୍ୱର: ରାଜ୍ୟରେ ସାମ୍ପ୍ରତିକ ବନ୍ୟା ପରିସ୍ଥିତିର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ସରକାରୀ ସୂଚନା ଅନୁସାରେ, ବନ୍ୟା ଦ୍ୱାରା ରାଜ୍ୟର ୬୩ଟି ବ୍ଲକ୍ ଅଧୀନରେ ଥିବା ୪୯୨ଟି ଗ୍ରାମପଞ୍ଚାୟତ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଗାଁ ଗଣ୍ଡାରେ ବନ୍ୟାପାଣି ପଶିବା ସହ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରାଥମିକ ଆକଳନ ଅନୁଯାୟୀ, ମୋଟ ୮ ଲକ୍ଷ ୩ ହଜାର ଲୋକ ବନ୍ୟା କବଳରେ ପଡ଼ିଥିବା ବେଳେ ୩୩ ହଜାର ୪୫୦ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ସେହିପରି ୧,୧୩୨ଟି ଘର ଆଂଶିକ ବା ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରାଯାଇଛି। ଏପର୍ଯ୍ୟନ୍ତ ୨ ଲକ୍ଷ ୫୧ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ୫୨୭ଟି ରିଲିଫ୍ ସେଣ୍ଟର ଖୋଲାଯାଇଥିବା ବେଳେ ସେଠାରେ ୨ ଲକ୍ଷ ୫୪ ହଜାର ଲୋକ ଆଶ୍ରୟ ନେଇଛନ୍ତି। ଏହି କେନ୍ଦ୍ରଗୁଡ଼ିକରେ ରନ୍ଧାଖାଦ୍ୟ, ପାନୀୟ ଜଳ, ଚିକିତ୍ସା ସେବା ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ବର୍ତ୍ତମାନ କେତେକ ସ୍ଥାନରେ ବନ୍ୟାଜଳ ହ୍ରାସ ପାଉଥିଲେ ହେଁ ଅନେକ ତଳିଆ ଅଞ୍ଚଳ ଏବେ ବି ଜଳବନ୍ଦୀ ରହିଛି। ତେଣୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ସମ୍ପୂର୍ଣ୍ଣ ସତର୍କ ଅବସ୍ଥାରେ ରଖାଯାଇଛି। ସ୍ଥିତି ସୁଧୁରିବା ପରେ ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତଙ୍କ ପାଇଁ ଅଧିକ ସହାୟତା ଘୋଷଣା କରାଯିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

Related Articles

Back to top button