Uncategorized

ମୋଦୀ-ଶେହବାଜଙ୍କୁ ୧୧୭ ବ୍ୟକ୍ତିଙ୍କ ମିଳିତ ଚିଠି, ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ଆଣିବା ଉଦ୍ଦେଶ୍ୟ

ନୂଆଦିଲ୍ଲୀ/ଇସଲାମାବାଦ୍‌: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଓ ଜବାବରେ ଭାରତୀୟ ସେନାର ଅପରେସନ୍ ସିନ୍ଦୂର’ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖରାପ୍ ହୋଇପଡିଥିବା ସମ୍ପର୍କର ସୁଧାର ପାଇଁ ଦୁଇ ଦେଶର ବିଶିଷ୍ଟ ବ୍ୟକ୍ତିମାନେ ଏବେ ଅଣ୍ଟା ଭିଡିଛନ୍ତି। ରିପୋର୍ଟ ଅନୁସାରେ ଉଭୟ ଦେଶର ପ୍ରାୟ ୧୧୭ ଜଣ ପ୍ରମୁଖ ବ୍ୟକ୍ତିତ୍ୱ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଏହି ବିିଶିଷ୍ଟ ବ୍ୟକ୍ତିମାନେ ପରାମର୍ଶ ଦେଇ କହିଛନ୍ତି ଯେ, “ବିବାଦ ନୁହେଁ, ବରଂ ଆଲୋଚନାର ପନ୍ଥା ଆପଣାନ୍ତୁ, ଯଦ୍ୱାରା ଦକ୍ଷିଣ ଏସିଆରେ ଶାନ୍ତି ଏବଂ ବିକାଶର ପରିବେଶ ସୃଷ୍ଟି ହୋଇପାରିବ। ଏତଦ୍‌ବ୍ୟତୀତ ଏଥିରେ ଦୁଇ ଦେଶ ପକ୍ଷରୁ ଉଚ୍ଚାୟୁକ୍ତଙ୍କୁ ପୁନଃସ୍ଥାପିତ କରିବା, ଭିସା ସେବା ପୁନଃ ଆରମ୍ଭ କରିବା ଓ ଆକାଶପଥ ପୁନଃ ଖୋଲିବା ନେଇ ମଧ୍ୟ ଦାବି କରାଯାଇଛି।
ଏହି ୧୧୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଉଭୟ ଦେଶର ପୂର୍ବତନ ଉଚ୍ଚପଦସ୍ଥ ପ୍ରଶାସନିକ ତଥା ସାମରିକ ଅଧିକାରୀ, ସାମାଜିକ ଏବଂ ରାଜନୈତିକ ବ୍ୟକ୍ତିତ୍ୱମାନେ ସାମିଲ ଅଛନ୍ତି। ଭାରତ ପକ୍ଷରୁ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ମେହବୁବା ମୁଫ୍‌ତି ଏବଂ ଆର୍‌ଜେଡି ସାଂସଦ ମନୋଜ ଝାଙ୍କ ସମେତ ୬୧ ଜଣ ଏବଂ ପାକିସ୍ତାନ ପକ୍ଷରୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ଖୁର୍ସିଦ ମହମୁଦ କସୁରୀ, ପୂର୍ବତନ କୂଟନୀତିଜ୍ଞ ଅସରଫ ଜାହାଙ୍ଗୀର କାଜି, ନ୍ୟାସନାଲ ଆସେମ୍ବ୍ଲି ସଦସ୍ୟ ଇସ୍ଫାନୟାର ଭଣ୍ଡାରା ଓ ପରମାଣୁ ପଦାର୍ଥବିଜ୍ଞାନୀ ପରଭେଜ ହୁଦ୍‌ଭୋୟଙ୍କ ସମେତ ୫୬ ଜଣ ସେଣ୍ଟର୍ ଫର୍ ପିସ୍ ଆଣ୍ଡ୍ ପ୍ରୋଗେସ୍ (ସିପିପି) ଦ୍ୱାରା ଜାରି କରାଯାଇଥିବା ଏହି ଚିଠିରେ ସ୍ୱାକ୍ଷର କରିଛନ୍ତି। ଏହି ପଦକ୍ଷେପ ଏଭଳି ଏକ ସମୟରେ ନିଆଯାଇଛି ଯେତେବେଳେ ସାମ୍ପ୍ରତିକ ମାସଗୁଡ଼ିକରେ ଭାରତ ଏବଂ ପାକିସ୍ତାନର ସମ୍ପର୍କ ମଧ୍ୟରେ ତିକ୍ତତା ଅଧିକ ବ୍ୟାପକ ହେବାକୁ ଲାଗିଛି। ବିଶେଷକରି ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବାକୁ ନେଇ ପାକିସ୍ତାନର ନେତା/ମନ୍ତ୍ରୀମାନେ ଭାରତକୁ ନିୟମିତ ଭାବେ ଧମକ ଦେବାରେ ଲାଗିଛନ୍ତି। ଏପରିକି ପାକିସ୍ତାନ ମନ୍ତ୍ରୀ ତଥା ନେତାମାନେ ପୁଣି ଭାରତ ସହ ଯୁଦ୍ଧ କରିବାକୁ ମଧ୍ୟ ପ୍ରସ୍ତୁତ ଥିବା କହୁଛନ୍ତି।

Related Articles

Back to top button