ଓଡ଼ିଶାରାଜନୀତି

ଡବଲ ଇଞ୍ଜିନ ସରକାରଙ୍କ ଦରବୃଦ୍ଧି ନୀତି ବିରୋଧରେ ବିଜେଡିର ହଲ୍ଲାବୋଲ୍‌

ଭୁବନେଶ୍ୱର, ୦୮/୦୬/୨୦୨୬: ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇଥିବା ବେଳେ ଦେଶ ଓ ରାଜ୍ୟରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର କ୍ରମାଗତ ଦରବୃଦ୍ଧିକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଡବଲ ଇଞ୍ଜିନ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ । ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ସରକାରଙ୍କ ଏହି ଜନବିରୋଧୀ ନୀତିକୁ ‘ବ୍ରିଟିଶରାଜ’ ସହ ତୁଳନା କରାଯାଇଛି।

 ସାମ୍ୱାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡରର ମୂଲ୍ୟ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି। ୨୦୧୪ ମସିହାରେ ଯେଉଁ ଘରୋଇ ସିଲିଣ୍ଡରର ମୂଲ୍ୟ ପ୍ରାୟ ୪୧୫ ଟଙ୍କା ଥିଲା, ବର୍ତ୍ତମାନ ତାହା ବୃଦ୍ଧି ପାଇ ୯୬୮ ଟଙ୍କାରେ ପହଞ୍ଚିଛି। ପେଟ୍ରୋଲ, ଡିଜେଲ ଓ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଏଭଳି ବେଲଗାମ ଦରବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ହାଣ୍ଡିଶାଳ ଉପରେ ଚଡ଼କ ପଡ଼ିଛି। ଏହି ଆର୍ଥିକ ବୋଝ ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି ବୋଲି ସେ କହିଛନ୍ତି।

ଶ୍ରୀମତୀ ଛୁରିଆ ଅଭିଯୋଗ କରିଛନ୍ତି ଯେ, ଏହି ଦରବୃଦ୍ଧି ଯୋଗୁଁ ନିମ୍ନ ଓ ମଧ୍ୟବିତ୍ତ ପରିବାର, କ୍ଷୁଦ୍ର ବ୍ୟବସାୟୀ, ଚା’ ଦୋକାନୀ ଓ ହୋଟେଲ ବ୍ୟବସାୟୀମାନେ ଗଭୀର ଭାବେ ପ୍ରଭାବିତ ହେଉଛନ୍ତି। ଆନ୍ତର୍ଜାତୀୟ ବଜାରରେ ତୈଳଦର କମୁଥିଲେ ମଧ୍ୟ କେନ୍ଦ୍ର ସରକାର ଅତ୍ୟଧିକ ଟିକସ ଆଦାୟ କରି ଜନତାଙ୍କୁ ଶୋଷଣ କରୁଛନ୍ତି। ତେଣୁ ସରକାର ଜନସାଧାରଣଙ୍କ ପ୍ରତି ସମ୍ବେଦନଶୀଳ ହୋଇ ତୁରନ୍ତ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟି (GST) ଅନ୍ତର୍ଭୁକ୍ତ କରନ୍ତୁ, ଯାହାଦ୍ୱାରା ତୈଳ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇବ ଏବଂ ଜନସାଧାରଣ ଆଶ୍ୱସ୍ତି ପାଇବେ।

ଦରବୃଦ୍ଧି ସହିତ ରାଜ୍ୟର ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛି ବିଜେଡି। ଶ୍ରୀମତୀ ଛୁରିଆ କହିଛନ୍ତି ଯେ, ବିଜେପି ସରକାର ଅମଳରେ ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ନାରୀ ନିର୍ଯାତନା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ ହୋଇଥିବା ବେଳେ ସରକାର ନିଜ ଦାୟିତ୍ୱରୁ ବିମୁଖ ହୋଇ କେବଳ ଉତ୍ସବ ମନାଇବାରେ ବ୍ୟସ୍ତ ରହୁଛନ୍ତି ଏବଂ ସମ୍ପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବହୁ ବରିଷ୍ଠ ନେତ୍ରୀ ଉପସ୍ଥିତ ଥିଲେ, ସେମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ତଥା କର୍ପୋରେଟର ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ ଏବଂ ଉପସଭାନେତ୍ରୀ ତଥା କର୍ପୋରେଟର ଶ୍ରୀମତୀ ମାନସୀ ସୁନ୍ଦରରାୟ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।

Related Articles

Back to top button