ଓଡ଼ିଶାରାଜନୀତି

ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ପକ୍ଷଭୁକ୍ତ କରି ମାମଲା ରୁଜୁ କରାଯାଉ: ସାମ୍ବାଦିକ ସମ୍ମିଳନୀରେ ଦାବି କଲା କଂଗ୍ରେସ

ଭୁବନେଶ୍ୱର, ୨୧/୦୫/୨୦୨୬: ପାରାଦ୍ୱୀପ କୁଜଙ୍ଗ ଅଞ୍ଚଳରେ ଚାଲିଥିବା ବେଆଇନ ମାଟି ଖନନ ଓ ମାଫିଆରାଜ୍‌କୁ ନେଇ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ (କଂଗ୍ରେସ ଭବନ)ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ କଂଗ୍ରେସ ନେତୃବୃନ୍ଦ ଶାସକ ବିଜେପି ସରକାରର ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ସରକାର ଓ ସ୍ଥାନୀୟ ପ୍ରଶାସନକୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ ମନ୍ତ୍ରୀଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରି ତଦନ୍ତ କରିବାକୁ ଦଳ ଦାବି କରିଛି।

ମିଳିଥିବା ସୂଚନା ଅନୁଯାୟୀ, କୁଜଙ୍ଗ ତହସିଲ ଅନ୍ତର୍ଗତ ଫତେପୁର ଓ ପ୍ରତାପପୁର ମୌଜାରେ ନାଫତା ପ୍ରକଳ୍ପ ପାଇଁ ଇଡକୋ ଦ୍ୱାରା ଅଧିଗୃହୀତ ହୋଇଥିବା ୭୮୦ ଏକର ଜମିରୁ ଗତ ଫେବୃଆରୀ ମାସରୁ ବେଆଇନ ଭାବେ କୋଟି କୋଟି ଟଙ୍କାର ମାଟି ତାଡ଼ି କଟକ-ପାରାଦୀପ ରେଳପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥାକୁ ଯୋଗାଇ ଦିଆଯାଉଥିଲା। ଏନେଇ ଅଭିଯୋଗ ପରେ ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ ଏବଂ ଏସପି ଅଙ୍କିତ ବର୍ମା ସ୍ଥାନୀୟ ପୋଲିସ ଓ ତହସିଲଦାରଙ୍କୁ ନଜଣାଇ ଗୁରୁବାର ବିଳମ୍ବିତ ରାତିରେ ବିଭିନ୍ନ ଥାନାର ଫୋର୍ସ ସହ ଅଚାନକ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ୧୧ଟି ହାଇୱା, ୫ଟି ପ୍ରୋକଲିନ ଜବତ କରାଯିବା ସହ ୪ ଜଣ ଅପରେଟରଙ୍କୁ ଅଟକ ରଖାଯାଇଛି ଏବଂ ସେଠାରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ପାରାଦ୍ୱୀପ ବିଧାୟକ ପ୍ରାର୍ଥୀ ନିରଞ୍ଜନ ନାୟକ, ପରିବେଶବିତ ସୁଧାଂଶୁ ଦେଓ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ଓ ପିସିସି ମୁଖପାତ୍ର ଡଃ ଦେବାଶିଷ ଭୂୟାଁ ଯୋଗଦେଇ କହିଛନ୍ତି ଯେ, ଜନୈକ ରାଜନେତାଙ୍କ ଭିଣୋଇ ଠିକା ସଂସ୍ଥା ସହ ଚୁକ୍ତିବଦ୍ଧ ହୋଇ ଏହି ବେଆଇନ କାରବାର ଚଳାଇଥିଲେ। ଇଡ଼କୋ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଏହି ଅଞ୍ଚଳରେ ୨୦ ଏକରର ଏକ ଫାର୍ମ ହାଉସ୍ ରହିଛି, ଯେଉଁଠାରେ ହଜାର ହଜାର ଟ୍ରିପ୍ ଚୋରା ମାଟି ପକାଯାଇଛି। ମାଟି ମାଫିଆଙ୍କ ମାଷ୍ଟରମାଇଣ୍ଡମାନେ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ଏହି ସିଣ୍ଡିକେଟ୍ ଚଲାଉଛନ୍ତି। ଏହି ଘଟଣାର ପର୍ଦ୍ଦାଫାଶ କରିବାକୁ ଯାଇ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି, ଯାହା ଅତ୍ୟନ୍ତ ନିନ୍ଦନୀୟ। ତେଣୁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନାମରେ ମଧ୍ୟ ମାମଲା ରୁଜୁ ହେବା ଆବଶ୍ୟକ।

କଂଗ୍ରେସ ନେତୃବୃନ୍ଦ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଯେଉଁଭଳି ଭାବେ ଲକ୍ଷ ଲକ୍ଷ ଟନ୍ ମାଟି ଓ ବାଲି ଉତ୍ତୋଳନ କରାଯାଉଛି, ତାହା ଦ୍ୱାରା ଅଞ୍ଚଳର ଜୈବ ବିବିଧତା ନଷ୍ଟ ହେବ ଏବଂ ଆଗାମୀ ଦିନରେ ଏକ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଘଟି ପାରାଦ୍ୱୀପ ଅଞ୍ଚଳ ମରୁଭୂମିରେ ପରିଣତ ହୋଇଯିବ। ପ୍ରଶାସନ ତୁରନ୍ତ ଏହି ମାଷ୍ଟରମାଇଣ୍ଡମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନେଲେ, ଆଗାମୀ ଦିନରେ କଂଗ୍ରେସ ଏକ ବିରାଟ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

 

Related Articles

Back to top button