Uncategorized

ବିଦ୍ୟାଧର ମହନ୍ତଙ୍କୁ “ପ୍ରତିମା କଳା ସମ୍ମାନ”

ଭୁବନେଶ୍ୱର : ଗତ ମେ’ ମାସ ୪ ତାରିଖରେ ଉତ୍ସବ ମୁଖର ହୋଇଉଠିଥିଲା ଭୁବନେଶ୍ୱରର ଗୀତଗୋବିନ୍ଦ ସଦନ। କଳା,ଶିକ୍ଷା, ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନସ୍ପଦକ ‘ଚତୁର୍ଥ ପ୍ରତିମା ପୁରସ୍କାର’ ପ୍ରଦାନ କରାଯାଇଥିଲା । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଂଜନ, ସମ୍ମାନିତ ଅତିଥି ବିଶିଷ୍ଟ ସମାଜସେବୀ ଲୋପାମୁଦ୍ରା ମହାନ୍ତି, ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୌରାଙ୍ଗ ଚରଣ ଦାସ ଯୋଗ ଦେଇଥିଲେ। ଅସ୍ମିତା ଚର୍ଚ୍ଚା : ଛାୟା ନାଟକ ଶୀର୍ଷକ ସ୍ମାରକୀ ବକୃତା ପ୍ରଦାନ କରିଥିଲେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୌରାଙ୍ଗ ଚରଣ ଦାସ। ସମ୍ମାନିତ ଅତିଥି, ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କ ଓଜସ୍ବି ଭାଷଣରେ ସଭାମଞ୍ଚ ତଳେ ଥିବା ଦର୍ଶକ ସ୍ତମ୍ଭିଭୂତ ହୋଇଥିଲେ । ପ୍ରତିମା ଫାଉଣ୍ଡେସନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସଂସ୍ଥାର ମ୍ୟାନେଜିଂ ଟ୍ରଷ୍ଟି ସୁମିତ୍ରା ପାଢ଼ୀ ବକ୍ତବ୍ୟ ପ୍ରଦାନ କରିଥିଲେ। ୧୯୮୩ ମସିହାରେ ନିଖିଳ ମୋହନ ପଟ୍ଟନାୟକ ଏବଂ ପୁଷ୍ପଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ‘ପ୍ରତିମା ଫାଉଣ୍ଡେସନ’ ବିଜ୍ଞାନ ଓ ଶିକ୍ଷା କ୍ଷେତ୍ରରେ ଦୀର୍ଘଦିନ ଧରି ଗବେଷଣା ଏବଂ ନବାନ୍ୱେଷଣ କରିଆସୁଛି ।

ଏହି ସଭାର ମୁଖ୍ୟ ଆକର୍ଷଣ ଥିଲା ପ୍ରତିମା ପୁରସ୍କାର ପ୍ରଦାନ ସମାରୋହ। ୨୦୨୬ ବର୍ଷ ପାଇଁ କଳା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ “ପ୍ରତିମା କଳା(ବାନ୍ଧ) ସମ୍ମାନ” ରେ କୋଟପାଡ଼ର ଗୌରବ ବିଦ୍ୟାଧର ମହନ୍ତଙ୍କୁ ପ୍ରଦାନ କରାଯାଇଥିଲ। । କୋଟପାଡ଼ର ଶାଢ଼ୀକୁ ଅନ୍ତର୍ଜାତୀୟ ସ୍ତରରେ ନେଇ ପହଞ୍ଚିବାର ଭୂମିକା ନିଭାଇଥିବ। କାରଣରୁ ବିଦ୍ୟାଧର ମହନ୍ତଙ୍କୁ ଅତିଥିମାନଙ୍କ ଦ୍ୱାରା ଭୂୟସୀ ପ୍ରଶଂସା କରାଯାଇଥିଲା । ତତ୍ ସଂଗେ ସଂଗେ ଭାରତର ଏକ ପ୍ରମୁଖ ଅନୁଷ୍ଠାନ ‘ସୃଜନିକା’ କୁ “ପ୍ରତିମା ଶିକ୍ଷା ସମ୍ମାନ” ଏବଂ ଚିତ୍ରକଳା କ୍ଷେତ୍ରରେ ଉମେଶ କୁମାର ମହାପାତ୍ରଙ୍କୁ “ପ୍ରତିମା କଳା ସମ୍ମାନ” ରେ ଭୂଷିତ କରାଯାଇଥିଲା ।

କବି ଓ ସାମ୍ବାଦିକ କେଦାର ମିଶ୍ର ପ୍ରତିମା ଫାଉଣ୍ଡେସନର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ସମ୍ମାନିତ ପ୍ରତିଭାମାନଙ୍କ ଉଦ୍ଦେଶ୍ୟରେ ସୁଭାଶିଷ ପ୍ରଦାନ କରିଥିଲେ । ଏହି ସୁନ୍ଦର ସଭା ସମାରୋହକୁ ସଂଯୋଜନା କରିଥିଲେ ଚଳଚ୍ଚିତ୍ର ଅଭିନେତ୍ରୀ ମଧୁମିତା ମହାନ୍ତି । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବି ଓ ସ୍ତମ୍ଭକାର ପବିତ୍ର ମୋହନ କର ।

Related Articles

Back to top button