ମିଳିଲା ପରିଚୟ, କାର୍ ଭିତରେ ଜଳିଗଲେ ସଫ୍ଟୱେର ଇଞ୍ଜିନିୟର

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ଜିଅନ୍ତା ଜଳିଥିଲା କାର୍ । ଆଉ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା । ଆଉ ଆଜି ମୃତକଙ୍କ ପରିଚୟ ମିଳିବା ସହ ଘଟଣା ଉପରୁ ପରଦା ଉଠୁଛି । ମୃତକ ହେଉଛନ୍ତି କଟକ କଲ୍ୟାଣନଗରର ସନ୍ତୋଷ ସାହୁ। ସେ ଜଣେ ସଫ୍ଟୱେର ଇଞ୍ଜିନିୟର ହୋଇଥିବା ବେଳେ ଘରେ ରହି କାମ କରୁଥିଲେ। ଏନେଇ କଟକ ଜୋନ୍-୪ ଏସିପି ମୃତକଙ୍କ ପରିଚୟ ସ୍ପଷ୍ଟ କରିଛନ୍ତି। ପାରିବାରିକ ଅଶାନ୍ତି ଯୋଗୁଁ ସନ୍ତୋଷ ଘରୁ ବାହାରିଥିବା ତାଙ୍କ ପତ୍ନୀ କହିଛନ୍ତି।
ପ୍ରାଥମିକ ତଦନ୍ତରୁ ପେଟ୍ରୋଲ ନିଆଁରେ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ପୋଲିସ। ସିସିଟିଭି ଫୁଟେଜ୍ ଯାଞ୍ଚରୁ ସେ ଏକା କାର୍ ରେ ଯାଇଥିବା ଜଣାପଡ଼ିଛି। ଅନ୍ୟପଟେ କାର୍ ଟି କିଛି ସମୟ ଧରି ଜଳୁଥିବା ସ୍ଥାନୀୟ ଲୋକେ ଦେଖିଥିବା କହିଛନ୍ତି। ସେ ଚରମ ପଦକ୍ଷେପ ନେଇଥିବା ପୋଲିସ ପ୍ରାଥମିକ ଭାବେ ଅନୁମାନ କରୁଥିବା ବେଳେ ଅନ୍ୟ ସମସ୍ତ ଦିଗରୁ ମଧ୍ୟ ତଦନ୍ତ ଜାରି ରହିଥିବା କହିଛନ୍ତି ଜୋନ୍-୪ ଏସିପି। କଟକ ବାରଙ୍ଗ ଥାନା ଗୋଡ଼ିସାହି ନିକଟ କେନ୍ଦ୍ରୀୟ ବିଦ୍ୟାଳୟ ପାଖରେ ଏକ ଜଳନ୍ତା କାର୍ ନିକଟରୁ ମିଳିଥିଲା ଅର୍ଦ୍ଧଦଗ୍ଧ ମୃତଦେହ। ଘଟଣାକୁ ନେଇ ଏବେ ତଦନ୍ତ ଜାରି ରହିଛି।




