ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ବାଲିଯାତ୍ରାରେ ଖାଦ୍ୟ ନାଁରେ ବିଷ! ଚଢ଼ାଉ ବେଳେ ମିଳିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ବାସି ଖାଦ୍ୟ

ବାଲିଯାତ୍ରାରେ ମଜା, ମସ୍ତି ସାଙ୍ଗକୁ ଖାଦ୍ୟର ମଜା ନେବାକୁ ଭିଡ଼ ଜମାଉଛନ୍ତି ଲକ୍ଷ ଲକ୍ଷ ଲୋକ। ହେଲେ ଏହି ଖାଦ୍ୟର ମାନକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ଅଧିକ ଲାଭ ଆଶାରେ ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଛନ୍ତି କିଛି ଅସାଧୁ ବ୍ୟବସାୟୀ। କେଉଁଠି ପୁରୁଣା ଚିକେନ୍ ଓ ମଟନ୍ ତରକାରୀ, ତ କେଉଁଠି ବାସି ପନିର୍। ଏପରିକି ଦୁଇରୁ ତିନି ଦିନ ପୁରୁଣା ଖାଦ୍ୟ ମଧ୍ୟ ଗ୍ରାହକଙ୍କୁ ପରଷା ଯାଉଥିବା ଅଭିଯୋଗ ହୋଇଛି।

ଅଭିଯୋଗ ପରେ ଆଜି ସକାଳୁ ଆକ୍ସନ୍ ମୋଡ୍‌କୁ ଆସିଥିଲା କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ମିଳିତ ଟିମ୍ ବିଭିନ୍ନ ଫୁଡ୍ ଷ୍ଟଲ୍‌ରେ ଚଢ଼ାଉ କରିଥିଲେ। ଆଉ ଚଢ଼ାଉ ବେଳେ ଯାହା ମିଳିଲା, ତାହା ଚିନ୍ତାଜନକ। କ୍ୱିଣ୍ଟାଲ କ୍ୱିଣ୍ଟାଲ ବାସି ଖାଦ୍ୟ ଜବତ ହୋଇଥିଲା। ମୋମୋ, ମଟନ୍, ଚିକେନ୍, ଚକୁଳି ପିଠା, ପନିର୍ ଷ୍ଟିକ୍ ଓ ପକୋଡ଼ା ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀ ବାସି ଅବସ୍ଥାରେ ମିଳିଥିଲା।

କେବଳ ବାଲିଯାତ୍ରା ନୁହେଁ, ଜାତୀୟ ପଲ୍ଲିଶ୍ରୀ ମେଳାରୁ ମଧ୍ୟ ବାସି ଖାଦ୍ୟ ଜବତ କରି ନଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ। ଖାଦ୍ୟର ମାନକୁ ନେଇ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ। ବ୍ୟବସାୟୀମାନେ ନିୟମ ନମାନିଲେ ସେମାନଙ୍କ ଷ୍ଟଲ୍‌କୁ ବ୍ୟାନ୍ କରାଯିବ ବୋଲି ମଧ୍ୟ କୁହାଯାଇଛି। ଏସିଆର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳା ବାଲିଯାତ୍ରା। ହେଲେ ଏହି ମେଳାର ଚଟପଟା ଖାଦ୍ୟ ଯଦି ସ୍ୱାସ୍ଥ୍ୟ ପାଇଁ ବିପଦ ସାଜେ, ତେବେ ଏହାଠାରୁ ବଡ଼ ଦୁର୍ଭାଗ୍ୟ ଆଉ କ’ଣ ହୋଇପାରେ?

ତେଣୁ ବାଲିଯାତ୍ରା ବୁଲନ୍ତୁ, ମନପସନ୍ଦ ଖାଦ୍ୟ ଖାଆନ୍ତୁ, କିନ୍ତୁ ଖାଦ୍ୟର ଗୁଣବତ୍ତା ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ। କାରଣ ସାମାନ୍ୟ ଅସାବଧାନତା ଆପଣଙ୍କ ଖୁସିକୁ ଦୁଃଖରେ ବଦଳାଇ ଦେଇପାରେ।

Related Articles

Back to top button