ବାଣିଜ୍ୟ

ବିବାହ ଋତୁରେ ସୁନା ଦରରେ ବଡ଼ ଜମ୍ପ ! ୨ ଦିନରେ ୩୦୦୦ ଟଙ୍କା ବଢ଼ିଲା, ରୁପା ବି ମହଙ୍ଗା

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ସୁନା ବଜାରରେ ପୁଣି ଲାଗିଛି ନିଆଁ! ଦୁଇ ଦିନ ହେଲା ଲଗାତାର ବଢ଼ି ଚାଲିଛି ସୁନା ଦର। ଗତକାଲି ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ଦାମ୍ ୧୪୦୦ ଟଙ୍କା ବଢ଼ିଥିବା ବେଳେ ଆଜି ପୁଣି ୧୬୦୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୧୭୫୦ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନାର ଦାମ୍ ୧୩୧୦ ଟଙ୍କା ବଢ଼ିଛି। ଏବେ ଭୁବନେଶ୍ୱର ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧ ଲକ୍ଷ ୧୬ ହଜାର ଟଙ୍କାରେ ପହଞ୍ଚିଛି। ସେହିପରି ୨୪ କ୍ୟାରେଟ୍ ସୁନାର ଦାମ୍ ୧ ଲକ୍ଷ ୨୬ ହଜାର ୫୫୦ ଟଙ୍କା ରହିଛି। ଆଉ ୧୮ କ୍ୟାରେଟ୍ ସୁନାର ଦାମ୍ ୯୪ ହଜାର ୯୧୦ ଟଙ୍କା ହୋଇଛି।

ସୁନା ସହ ରୁପା ଦର ମଧ୍ୟ ଗ୍ରାହକଙ୍କୁ ଝଟକା ଦେଇଛି। ଗତକାଲି ରୁପା ଦର ସ୍ଥିର ରହିଥିବା ବେଳେ ଆଜି କିଲୋଗ୍ରାମ୍ ପିଛା ସିଧା ୫ ହଜାର ଟଙ୍କା ବଢ଼ିଛି। ଫଳରେ ରୁପାର ଦାମ୍ ୧ ଲକ୍ଷ ୭୦ ହଜାର ଟଙ୍କାରେ ପହଞ୍ଚିଛି। ବଜାର ବିଶେଷଜ୍ଞଙ୍କ ମତରେ, ସୁନା ଦରରେ ଏହି ବୃଦ୍ଧି ପଛରେ ରହିଛି ଏକାଧିକ କାରଣ। ଅତ୍ୟଧିକ ହ୍ରାସ ପରେ ନିବେଶକମାନେ ପୁଣି ସୁନା କିଣିବାକୁ ଆଗ୍ରହ ଦେଖାଉଛନ୍ତି। ଏହାସହ ଡଲାରର ଦୁର୍ବଳତା ଏବଂ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ମଧ୍ୟ ସୁନା ଦର ବୃଦ୍ଧିର କାରଣ ହୋଇଛି।

ଅନ୍ୟପଟେ ଦେଶରେ ବିବାହ ଋତୁ ଆରମ୍ଭ ହୋଇଥିବାରୁ ସୁନା ଗହଣାର ଚାହିଦା ମଧ୍ୟ ରହିଛି। ବିବାହ, ପର୍ବପର୍ବାଣୀ ଓ ପାରମ୍ପରିକ ଉତ୍ସବ ପାଇଁ ଲୋକେ ସୁନା କିଣୁଥିବାରୁ ବଜାରରେ ଚାହିଦା ବଢ଼ୁଛି। ତେବେ ଆଗକୁ ସୁନା ଓ ରୁପା ଦର ଆହୁରି ବଢ଼ିବ ନା ଦରରେ ଲାଗିବ ବ୍ରେକ୍? ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଉତ୍କଣ୍ଠା। ବିଶେଷକରି ବିବାହ ଋତୁରେ ଗହଣା କିଣିବାକୁ ଥିବା ପରିବାରଙ୍କ ବଜେଟ୍ ଉପରେ ଏହି ଦରବୃଦ୍ଧିର ପ୍ରଭାବ ପଡ଼ିବା ନିଶ୍ଚିତ।

Related Articles

Back to top button