ଏବେ ବି ୨୧୩ ଭାରତୀୟ ନିଖୋଜ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ : ବନ୍ୟାରେ ନିଖୋଜ, ଏବେ ମୃତ ଘୋଷଣା ପାଇଁ ପ୍ରକ୍ରିୟା। ନେପାଳର ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ହୋଇଥିବା ୨୧୩ ଜଣ ଭାରତୀୟଙ୍କୁ ନେଇ ଏଭଳି ଏକ ବଡ଼ ପଦକ୍ଷେପ ନେଇଛନ୍ତି ନେପାଳ ସରକାର। ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା ପ୍ରାଧିକରଣ ବା ଏନଡିଆରଆରଏମଏ ନିଜ ୱେବସାଇଟରେ ନିଖୋଜ ଭାରତୀୟଙ୍କ ତାଲିକା ପ୍ରକାଶ କରିଛି। ତାଲିକାରେ କୌଣସି ତ୍ରୁଟି ଥିଲେ ନାମ ଯୋଡ଼ିବା, ହଟାଇବା କିମ୍ବା ସଂଶୋଧନ ପାଇଁ ଆପତ୍ତି ଆହ୍ୱାନ କରାଯାଇଛି।
ଏଥିପାଇଁ ନିଖୋଜ ଭାରତୀୟଙ୍କ ପରିବାରବର୍ଗଙ୍କୁ ଡିସେମ୍ବର ୨ ପୂର୍ବରୁ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏଥିସହ ଦୂତାବାସ ପକ୍ଷରୁ ଇମେଲ୍ ଠିକଣା ଓ ମୋବାଇଲ୍ ନମ୍ବର ମଧ୍ୟ ଜାରି କରାଯାଇଛି। ଆପତ୍ତି ଓ ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ନେପାଳ ସରକାର ଚୂଡ଼ାନ୍ତ ତାଲିକା ପ୍ରକାଶ କରିବେ। ଏହାପରେ ଆନୁଷ୍ଠାନିକ ଭାବେ ମୃତ୍ୟୁ ତାଲିକା ଘୋଷଣା କରାଯିବ। ଏଥିସହ ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ମୃତ୍ୟୁ ପ୍ରମାଣପତ୍ର ସଂଗ୍ରହ କରିବ ଭାରତୀୟ ଦୂତାବାସ। ଆବଶ୍ୟକ ପଡ଼ିଲେ ପରିବାର ସଦସ୍ୟଙ୍କଠାରୁ ଅଧିକ ତଥ୍ୟ ଓ ଦସ୍ତାବିଜ ମଧ୍ୟ ମଗାଯିବ।
ସୂଚନା ଅନୁସାରେ, ଅଗଷ୍ଟ ୨୬ ତାରିଖରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ୧ ହଜାର ୪୫୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏନଡିଆରଏଫ୍ର ସୂଚନା ଅନୁଯାୟୀ, ୫ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଭୋଟେ କୋଶି ନଦୀରେ ପ୍ରବଳ ବନ୍ୟା ଜଳ ଆସିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିଲା। ଘରଦ୍ୱାର, ଗାଡ଼ିମୋଟର, ରାସ୍ତା ଓ ସେତୁକୁ ଭସାଇ ନେଇଥିଲା ବନ୍ୟା ଜଳ। ଏପରିକି ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା।
ତେବେ ଦୀର୍ଘ ଦିନ ଧରି ନିଖୋଜ ଥିବା ୨୧୩ ଭାରତୀୟଙ୍କ ଭାଗ୍ୟକୁ ନେଇ ଏବେ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ ହିଁ ଏହି ମାମଲାରେ ସ୍ପଷ୍ଟତା ଆସିବ। ଏବେ ନିଜ ପ୍ରିୟଜନଙ୍କ ଅପେକ୍ଷାରେ ଥିବା ପରିବାରଗୁଡ଼ିକର ଆଶା ଓ ଆଶଙ୍କା ମଧ୍ୟରେ ରହିଛି ସମସ୍ତଙ୍କ ନଜର।




