ଓଡ଼ିଶା

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ

ସତ୍ୟ ଓ ନିରପେକ୍ଷ ଖବର ହିଁ ସାମ୍ବାଦିକତାର ପରିଚୟ। ଲୋକପ୍ରିୟତାର ମୋହରେ ଭ୍ରମାତ୍ମକ ଖବର ପ୍ରସାରଣ କରିବା ଦ୍ୱାରା ଗଣମାଧ୍ୟମର ବିଶ୍ୱସନୀୟତା କ୍ଷୁଣ୍ଣ ହେଉଛି। ତେଣୁ ପ୍ରତ୍ୟେକ ଖବର ପ୍ରସାରଣ ପୂର୍ବରୁ ତାହାର ସତ୍ୟତା ଯାଞ୍ଚ କରିବା ସହ ନିଜର ନୈତିକ ଦାୟିତ୍ୱ ପ୍ରତି ସଚେତନ ରହିବା ଆବଶ୍ୟକ। ଜାତୀୟ ପ୍ରେସ୍ ଦିବସରେ ଏଭଳି ମତ ରଖିଛନ୍ତି ଅତିଥିମାନେ। ଭୁବନେଶ୍ୱରସ୍ଥିତ ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ସାମ୍ବାଦିକଙ୍କ ଦାୟିତ୍ୱବୋଧ ଓ ଅନୁଶାସନ ଉପରେ ଗୁରୁତ୍ୱ ଦେଇଥିଲେ। ସାମ୍ବାଦିକମାନେ କାମଳ ସାମ୍ବାଦିକତାରୁ ଊର୍ଦ୍ଧ୍ୱକୁ ଯାଇ ସାମାଜିକ ପ୍ରତିବଦ୍ଧତା ବଜାୟ ରଖିବାକୁ ସେ ଆହ୍ୱାନ ଦେଇଥିଲେ।

ସେହିପରି ମୁଖ୍ୟବକ୍ତା ଭାବେ ଯୋଗଦେଇ ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ, ଖବର ପ୍ରସାରଣ ପୂର୍ବରୁ ତଥ୍ୟର ସତ୍ୟତା ଯାଞ୍ଚ କରିବା ଜଣେ ସାମ୍ବାଦିକଙ୍କ ପ୍ରଥମ କର୍ତ୍ତବ୍ୟ। ବିଶେଷକରି ସମ୍ବେଦନଶୀଳ ଖବର ପ୍ରସାରଣ ସମୟରେ ଅଧିକ ସତର୍କତା ଓ ଦାୟିତ୍ୱବୋଧ ରହିବା ଆବଶ୍ୟକ।କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ କହିଥିଲେ, ସମୟ ସହ ସମ୍ବାଦ ପରିବେଷଣର ଶୈଳୀ ବଦଳୁଛି। ସାମାଜିକ ଗଣମାଧ୍ୟମର ପ୍ରଭାବ ବଢ଼ୁଛି। ହେଲେ ସାମ୍ବାଦିକତାର ମୌଳିକତା ଓ ନୈତିକତା ସବୁବେଳେ ଅକ୍ଷୁଣ୍ଣ ରହିବା ଦରକାର।

ଏହି ଅବସରରେ ମହାବିଦ୍ୟାଳୟ ସ୍ତରରେ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ଜୟଦେବ ଭବନରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ସମ୍ବାଦପତ୍ର ପ୍ରଦର୍ଶନୀ। ଏଠାରେ ଦେଶ ବିଦେଶର ପୁରାତନ ଖବରକାଗଜ, ଓଡ଼ିଆ ଦୈନିକ ଓ ବିଭିନ୍ନ ପତ୍ରପତ୍ରିକାକୁ ମିଶାଇ ପ୍ରାୟ ଏକ ହଜାର ସମ୍ବାଦପତ୍ର ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଦର୍ଶନୀରେ ସହଯୋଗ କରିଥିବା ପେପରମ୍ୟାନ୍ ଇଣ୍ଡିଆ ଶଶାଙ୍କ ଶେଖର ଦାଶଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥିଲା।

Related Articles

Back to top button