କାର୍ତ୍ତିକ ପୂର୍ଣ୍ଣିମା ଦ୍ବନ୍ଦ୍ବ ! ୪ ଦିନ ପଡୁଛି ପଞ୍ଚୁକ

ସବୁ ପର୍ବପର୍ବାଣୀକୁ ନେଇ ଦ୍ବନ୍ଦ୍ବ ଲାଗିରହିଛି । ଦୀପାବଳିଠୁ ଆରମ୍ଭ କରି କୁମାରପୂର୍ଣ୍ଣିମା ସବୁକୁ ନେଇ ଦ୍ବନ୍ଦ୍ବ । ଆଉ ଏଥର ପଞ୍ଚୁକକୁ ନେଇ ଦ୍ବନ୍ଦ୍ବ ରହିଛି। ପଞ୍ଚୁକ ସାଧାରଣତଃ ୫ ଦିନ ପଡିଥାଏ । ହେଲେ ଚଳିତ ଥର ୪ ଦିନ ପଡୁଛି ପଞ୍ଚୁକ। ଆସନ୍ତା ୨୧ ତାରିଖରୁ ଆରମ୍ଭ ହେଉଛି ପଞ୍ଚୁକ। ୨୧ ତାରିଖ ସକାଳ ୬ଟା ୩୨ ସୁଦ୍ଧା ଏକାଦଶୀ ତିଥି ସରିଯାଉଛି। ଏହାପରେ ଦ୍ବାଦଶୀ ତିଥି ଆରମ୍ଭ ହେଉଛି। ସେହିଦିନ ଭୋର ୪ଟା ୫୭ ମିନିଟରେ ଆରମ୍ଭ ହେଉଛି ତ୍ରୟୋଦଶୀ ତିଥି। ସୂର୍ଯ୍ୟୋଦୟ ପୂର୍ବରୁ ତ୍ରୟୋଦଶୀ ଆରମ୍ଭ ହେଉଛି ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଛି।
ଗୋଟିଏ ଦିନ ଏକାଦଶୀ, ଦ୍ବାଦଶୀ ଓ ତ୍ରୟୋଦଶୀ ତିଥି ପଡୁଥିବାରୁ ଶ୍ରଦ୍ଧାଳୁ ଦ୍ବନ୍ଦ୍ବରେ ପଡିଛନ୍ତି। ପରମ୍ପରା ଅନୁଯାୟୀ ସୂର୍ଯ୍ୟୋଦୟ ସମୟରେ ଯେଉଁ ତିଥି ଥାଏ ସେହି ଦିନ ହିଁ ପର୍ବପର୍ବାଣୀ ପାଳନ କରାଯାଏ। ଯେହେତୁ ନଭେମ୍ବର ୨୪ ତାରିଖ ସୂର୍ଯ୍ୟୋଦୟ ସମୟରେ ପୂର୍ଣ୍ଣିମା ତିଥି ରହୁଛି, ତେଣୁ ଓଡ଼ିଶା ସମେତ ସାରା ଦେଶରେ ନଭେମ୍ବର ୨୪ ମଙ୍ଗଳବାର ଦିନ ହିଁ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହେବ। ୨୪ ତାରିଖ ସକାଳେ ବୋଇତ ବନ୍ଦାଣ ପାଳନ କରାଯିବ। ଜ୍ୟୋତିର୍ବିଦମାନେ ଏହା କହିଛନ୍ତି ।




