କ୍ରୀଡ଼ା

ପୁଣି ବିଶ୍ୱ କ୍ରିକେଟ୍‌ର ମଙ୍ଗ ଧରିବେ ଜୟ ଶାହ, ଲଗାତାର ଦ୍ୱିତୀୟ ଥର ହେଲେ ICC ଅଧ୍ୟକ୍ଷ!

ବିଶ୍ୱ କ୍ରିକେଟ୍‌ରେ ପୁଣି ଭାରତର ଦବଦବା। ଆଇସିସି ଅଧ୍ୟକ୍ଷ ଭାବେ ଦ୍ୱିତୀୟ ଥର ପାଇଁ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି ଜୟ ଶାହ। ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ ତାଙ୍କ ପୁନଃନିଯୁକ୍ତିକୁ ଅନୁମୋଦନ ମିଳିଛି। ଆଗାମୀ ଦୁଇ ବର୍ଷ ପାଇଁ ସେ ରହିବେ ବିଶ୍ୱ କ୍ରିକେଟ୍‌ର ସର୍ବୋଚ୍ଚ ପଦବୀରେ। ପୂର୍ବରୁ ବିସିସିଆଇର ସମ୍ପାଦକ ଭାବେ ନିଜ ଦାୟିତ୍ୱ ତୁଲାଇଥିଲେ ଜୟ ଶାହ। ୨୦୨୪ ଡିସେମ୍ବର ୧ ତାରିଖରେ ପ୍ରଥମ ଥର ପାଇଁ ଆଇସିସି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ମାତ୍ର ୩୮ ବର୍ଷ ବୟସରେ ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ହେବାର ଗୌରବ ହାସଲ କରିଥିଲେ ସେ। ଏବେ ତାଙ୍କ ନେତୃତ୍ୱ ଉପରେ ପୁଣି ମୋହର ମାରିଛି ଆଇସିସି।

କ୍ରିକେଟ୍‌ର ବିଶ୍ୱବ୍ୟାପୀ ପ୍ରସାର, ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ଏବଂ ବାଣିଜ୍ୟିକ ବିକାଶ ଦିଗରେ ଜୟ ଶାହଙ୍କ ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା ରଖିଛି ଆଇସିସି। ଏହାସହ ମହିଳା କ୍ରିକେଟ୍‌କୁ ଅଧିକ ପ୍ରୋତ୍ସାହନ ଦେବା ଏବଂ ଛୋଟ କ୍ରିକେଟ୍ ଖେଳୁଥିବା ଦେଶଗୁଡ଼ିକୁ ଅଧିକ ସୁଯୋଗ ଦେବା ଉପରେ ରହିବ ଫୋକସ୍। ଅନ୍ୟପଟେ, ୨୦୨୮ ଲସ୍‌ଏଞ୍ଜେଲସ୍ ଅଲିମ୍ପିକ୍ସରେ ପୁଣି ଦେଖିବାକୁ ମିଳିବ କ୍ରିକେଟ୍‌ର ଜଲୱା। ଦୀର୍ଘ ବର୍ଷ ପରେ ଅଲିମ୍ପିକ୍ସକୁ ଫେରୁଛି କ୍ରିକେଟ୍। ଏଭଳି ସମୟରେ ନୂଆ ଦର୍ଶକଙ୍କ ପାଖରେ ଏହି ଖେଳକୁ ପହଞ୍ଚାଇବା ଜୟ ଶାହଙ୍କ ପାଇଁ ହେବ ଏକ ବଡ଼ ଆହ୍ୱାନ।

ପୁନଃନିର୍ବାଚିତ ହେବା ପରେ ଆଇସିସି ବୋର୍ଡକୁ କୃତଜ୍ଞତା ଜଣାଇଛନ୍ତି ଜୟ ଶାହ। ବିଶ୍ୱ କ୍ରିକେଟ୍‌ର ବିକାଶ, ଖେଳାଳିଙ୍କ ସ୍ୱାର୍ଥରକ୍ଷା ଏବଂ ନୂଆ ପିଢ଼ିକୁ କ୍ରିକେଟ୍ ପ୍ରତି ଆକୃଷ୍ଟ କରିବା ଦିଗରେ ସମସ୍ତ ସଦସ୍ୟ ଦେଶଙ୍କ ସହ ମିଶି କାମ କରିବେ ବୋଲି କହିଛନ୍ତି ଜୟ ଶାହ।

Related Articles

Back to top button