ସୁଜାତା ରାଉତଙ୍କ ଶକ୍ତି ପ୍ରଦର୍ଶନ, ହଜାର ହଜାର କର୍ମୀଙ୍କୁ ନେଇ ବିଶାଳ ପଦଯାତ୍ରା

ଭୋଗରାଇରେ ସୁଜାତା ରାଉତଙ୍କ ଭବ୍ୟ ସ୍ୱାଗତ। ସକାଳୁ ସକାଳୁ ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ଦର୍ଶନ କରିଥିଲେ ସୁଜାତା। ମହାଦେବଙ୍କ ନିକଟରେ ମଥା ନୁଆଁଇ ସମଗ୍ର ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଥିଲେ।ଏହାପରେ ଦେହୁର୍ଡା ହନୁମାନ ମନ୍ଦିର ନିକଟରୁ ଆରମ୍ଭ ହୋଇଥିଲା ବିଶାଳ ପଦଯାତ୍ରା। ହଜାର ହଜାର ଦଳୀୟ କର୍ମୀ ଓ ସମର୍ଥକଙ୍କ ଉପସ୍ଥିତିରେ ଶୋଭାଯାତ୍ରାରେ ସୃଷ୍ଟି ହୋଇଥିଲା ଉତ୍ସାହର ମାହୋଲ୍। ବିଭିନ୍ନ ସ୍ଥାନରେ ସୁଜାତାଙ୍କୁ ସ୍ୱାଗତ କରାଯାଇଥିବା ବେଳେ ଶୋଭାଯାତ୍ରା ପହଞ୍ଚିଥିଲା ଥାନାଛକ ହେଲିପ୍ୟାଡ୍ ପଡ଼ିଆରେ।
ସେଠାରେ ଆୟୋଜିତ ହୋଇଥିଲା ଏକ ବିଶାଳ ସାଧାରଣ ସଭା। ଏହି ସଭାରେ ଭୋଗରାଇ ବିଧାୟକ, ଜିଲ୍ଲା ସଭାପତିଙ୍କ ସମେତ ଅନେକ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ। ମଞ୍ଚରୁ ଉପସ୍ଥିତ ହଜାର ହଜାର କର୍ମୀଙ୍କୁ ଉଦବୋଧନ ଦେଇଥିଲେ ସୁଜାତା ରାଉତ।ସୁଜାତାଙ୍କ ଏହି ଗସ୍ତକୁ ନେଇ ଭୋଗରାଇର ରାଜନୈତିକ ମହଲରେ ଏବେ ଚର୍ଚ୍ଚା ଜୋର୍ ଧରିଛି। ବିଶାଳ ପଦଯାତ୍ରା ଓ ଜନସଭା ମାଧ୍ୟମରେ ଦଳୀୟ ସଂଗଠନକୁ କେତେ ମଜବୁତ କରିପାରୁଛନ୍ତି ସୁଜାତା, ତାହା ଉପରେ ରହିଛି ସମସ୍ତଙ୍କ ନଜର।
ତେବେ ଭୋଗରାଇ ମାଟିରେ ସୁଜାତା ରାଉତଙ୍କ ଏହି ଗସ୍ତ କେବଳ ଏକ ରାଜନୈତିକ କାର୍ଯ୍ୟକ୍ରମ, ନା ଏହା ପଛରେ ରହିଛି ଆଗାମୀ ଦିନର ବଡ଼ ରାଜନୈତିକ ରଣନୀତି? ଆଗାମୀ ଦିନରେ ଭୋଗରାଇର ରାଜନୈତିକ ସମୀକରଣ କେଉଁ ମୋଡ଼ ନେଉଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।




