ବାଇକ୍ରେ ସିଂହକୁ ଗୋଡ଼ାଇଲେ ଜଙ୍ଗଲ କର୍ମଚାରୀ, ୩ ଜଣଙ୍କ ଉପରେ ଆକ୍ସନ୍

ସିଂହକୁ ବାଇକ୍ରେ ଗୋଡ଼ାଉଛନ୍ତି ଜଙ୍ଗଲ କର୍ମଚାରୀ! ଏଭଳି ଏକ ଅଜବ ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍। ଘଟଣାଟି ଗୁଜରାଟର ଅମରେଲି ଜିଲ୍ଲାର ଅମ୍ବାରଡ଼ି ସଫାରି ପାର୍କର। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି, ଏକ ସିଂହକୁ ବାଇକ୍ରେ ପିଛା କରୁଛନ୍ତି କିଛି ବ୍ୟକ୍ତି। ସୂଚନା ଅନୁସାରେ, ସନ୍ଧ୍ୟା ସମୟରେ ସିଂହକୁ ତା’ର ଖୁଆଡ଼କୁ ନେଉଥିଲେ ଜଙ୍ଗଲ କର୍ମଚାରୀ। ସାଧାରଣତଃ ଏହି କାମ ପାଇଁ ଜିପ୍ ବ୍ୟବହାର କରାଯାଏ। କିନ୍ତୁ ଏଥର ଜିପ୍ ବଦଳରେ ମୋଟରସାଇକେଲ୍ରେ ସିଂହକୁ ପିଛା କରିଥିଲେ କର୍ମଚାରୀ।
ଭିଡିଓଟି ଭାଇରାଲ୍ ହେବା ପରେ ବିଭାଗ ପକ୍ଷରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ ତିନି ଜଣ ଆଉଟସୋର୍ସ ଜଙ୍ଗଲ କର୍ମଚାରୀଙ୍କୁ ଦାୟିତ୍ୱରୁ ମୁକ୍ତ କରାଯାଇଛି। ତେବେ ଭାଇରାଲ୍ ଭିଡିଓଟି ଦୀପାବଳି ସମୟରେ ରେକର୍ଡ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ, ଏହି ଘଟଣାରେ ସିଂହକୁ ଉତ୍ପୀଡ଼ନ କରାଯାଇଥିବା ଅଭିଯୋଗକୁ ଜଣେ ଅଧିକାରୀ ଖଣ୍ଡନ କରିଛନ୍ତି। ତେବେ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସେମାନଙ୍କ ପ୍ରତି ଦାୟିତ୍ୱପୂର୍ଣ୍ଣ ଆଚରଣ କେତେ ଜରୁରୀ, ଏହି ଘଟଣା ପୁଣି ଥରେ ସେହି ପ୍ରଶ୍ନ ଉଠାଇଛି।




