ଓଡ଼ିଶା
ଚଳଚଞ୍ଚଳ କଟକ ବାଲିଯାତ୍ରା ପଡ଼ିଆ

ଐତିହାସିକ ବାଲିଯାତ୍ରାକୁ ଆଉ ଅଳ୍ପ ଦିନ ବାକି । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କଟକ ବାଲିଯାତ୍ରା ପଡ଼ିଆ। ପ୍ଲଟ୍ ବଣ୍ଟନ ଶେଷ ହୋଇଥିବାବେଳେ ଷ୍ଟଲ୍ ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଚାଲିଛି । ଚଳିତ ବର୍ଷ ‘କଟକ ଇନ୍ କଟକ’ ପ୍ୟାଭିଲିୟନ୍ରେ କଟକର ୧୫୦ ବର୍ଷର ପୌର ଇତିହାସକୁ ଭବ୍ୟ ଢଙ୍ଗରେ ପ୍ରଦର୍ଶିତ କରାଯିବ । କଟକର କଳା, ସଂସ୍କୃତି, ଭାସ୍କର୍ଯ୍ୟ ଓ କାରୁକାର୍ଯ୍ୟକୁ ଏହି ପ୍ୟାଭିଲିୟନ୍ରେ ସ୍ୱତନ୍ତ୍ର ସ୍ଥାନ ଦିଆଯିବ । ଏହାସହ ସହରର ଗୌରବମୟ ଇତିହାସ ଓ ପରମ୍ପରାକୁ ମଧ୍ୟ ଲୋକଙ୍କ ସାମ୍ନାକୁ ଅଣାଯିବ ।
ବାଲିଯାତ୍ରାରେ ଆଲୋକୀକରଣ, ପରିମଳ ଓ ପ୍ଲାଷ୍ଟିକ୍ମୁକ୍ତ ପରିବେଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ସ୍ୱଚ୍ଛତାକୁ ପ୍ରାଥମିକତା ଦେଇ ଉପର ଓ ତଳ ପଡ଼ିଆରେ ୫୦୦ରୁ ଅଧିକ ଶୌଚାଳୟ ନିର୍ମାଣ କରାଯିବ ବୋଲି କଟକ ମହାନଗର ନିଗମ (CMC) କମିଶନର ସୂଚନା ଦେଇଛନ୍ତି । ତେବେ ଏଥର ବାଲିଯାତ୍ରାକୁ ଅଧିକ ସୁନ୍ଦର, ସ୍ୱଚ୍ଛ ଓ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।




