Breaking News

ମୋଦୀଙ୍କ ଗସ୍ତ ବେଳେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି!

ମୋବାଇଲ ନ୍ୟୁଜ 24x 7: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କର୍ଣ୍ଣାଟକ ଗସ୍ତ ସମୟରେ ଅଘଟଣ। ତାଙ୍କ ଯାତ୍ରା ପାଇଁ ନିୟୋଜିତ ଭାରତୀୟ ବାୟୁସେନାର ଏକ ହେଲିକପ୍ଟରରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି। ଶୁକ୍ରବାର ଅପରାହ୍ଣ ପ୍ରାୟ ୩ଟା ୨୦ ମିନିଟ୍‌ରେ ମହୀଶୂରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ସେଠାରେ କୋସ୍‌ମୋସ୍‌-ମହୀଶୂର ତାରାମଣ୍ଡଳର ଉଦ୍‌ଘାଟନ କରିଥିଲେ।ଏହି ଗସ୍ତ ପାଇଁ ମହୀଶୂରର ଜୟଚାମରାଜା ୱାଡିୟାର ହେଲିପ୍ୟାଡ୍‌ରେ ଅବତରଣ କରିଥିଲା ତିନୋଟି ହେଲିକପ୍ଟର। କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତ ହେଲିକପ୍ଟର ପରବର୍ତ୍ତୀ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିଲା। ହେଲେ ଠିକ୍ ଏହି ସମୟରେ ଗୋଟିଏ ହେଲିକପ୍ଟରରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା।

ଫଳରେ ଅବଶିଷ୍ଟ ଦୁଇଟି ହେଲିକପ୍ଟର ମଧ୍ୟରୁ ଗୋଟିଏରେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସହ ଥିବା ଅନ୍ୟ ସଦସ୍ୟମାନେ ପରବର୍ତ୍ତୀ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ଅନ୍ୟପଟେ ଅଚଳ ହେଲିକପ୍ଟରଟି ହେଲିପ୍ୟାଡ୍‌ରେ ରହିଯାଇଥିଲା।ଘଟଣା ପରେ ହେଲିକପ୍ଟରର ସୁରକ୍ଷା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ଅଞ୍ଚଳକୁ ଘେରାଉ କରାଯାଇଛି। ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି। ଏପଟେ ବୈଷୟିକ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହେଲିକପ୍ଟରର ଯାନ୍ତ୍ରିକ ତ୍ରୁଟି ଯାଞ୍ଚ କରିଛନ୍ତି।

ତେବେ ହେଲିକପ୍ଟରରେ କେଉଁ ପ୍ରକାରର ତ୍ରୁଟି ଦେଖାଦେଇଛି ଏବଂ ଏହା କେବେ ପୁଣି ଉଡ଼ାଣ ଭରିବ, ସେନେଇ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସୂଚନାଯୋଗ୍ୟ, ନଭେମ୍ବର ୧୩ ଓ ୧୪ ତାରିଖରେ ଦୁଇ ଦିନିଆ କର୍ଣ୍ଣାଟକ ଓ ଗୁଜରାଟ ଗସ୍ତରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Related Articles

Back to top button