ଛଠ୍ ପୂଜାରେ ଉତ୍ସବ । ସୂର୍ଯ୍ୟଦେବଙ୍କ ଆରାଧନା କଲେ ଶ୍ରଦ୍ଧାଳୁ

ଆସ୍ଥା, ବିଶ୍ୱାସ ଓ ପରମ୍ପରାର ମହାପର୍ବ ଛଠ୍ ପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଗାଁ ଠୁ ସହର । ଖାସ କରି କୋଇଡ଼ା ଓ ମୁନିଗୁଡ଼ା ଅଞ୍ଚଳରେ ବେଶ୍ ଧୁମ୍ଧାମ୍ରେ ପାଳନ ହୋଇଛି ଛଠ୍ ପୂଜା । ସୂର୍ଯ୍ୟଦେବତା ଓ ଛଠୀ ମାତାଙ୍କ ଆରାଧନାରେ ମତିଛନ୍ତି ବିହାରୀ ସମ୍ପ୍ରଦାୟର ଲୋକେ । ଜଳାଶୟ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ସହ ସବୁଠି ଦେଖିବାକୁ ମିଳିଛି ଭକ୍ତି ଓ ଉତ୍ସାହର ମାହୋଲ୍ । ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଅଞ୍ଚଳରେ ଛଠ୍ ପୂଜାକୁ ନେଇ ବେଶ୍ ଚଳଚଞ୍ଚଳ ହୋଇଉଠିଥିଲା ପରିବେଶ ।
ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟସ୍ଥ ପୋଖରୀକୁ ଆକର୍ଷଣୀୟ ଭାବେ ସଜାଯାଇଥିବା ବେଳେ ବହୁ ସଂଖ୍ୟାରେ ବ୍ରତଧାରୀ ଘାଟରେ ପହଞ୍ଚି ଅସ୍ତଗାମୀ ସୂର୍ଯ୍ୟଦେବଙ୍କୁ ସାନ୍ଧ୍ୟ ଅର୍ଘ୍ୟ ଅର୍ପଣ କରିଥିଲେ । ଦୀପ ଓ ପୂଜା ସାମଗ୍ରୀରେ ଘାଟର ପରିବେଶ ଭକ୍ତିମୟ ହୋଇଉଠିଥିଲା ସେହିପରି ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାରେ ମଧ୍ୟ ଶ୍ରଦ୍ଧା ଓ ନିଷ୍ଠାର ସହ ଛଠ୍ ପୂଜା ପାଳନ କରିଛନ୍ତି ବିହାରୀ ସମ୍ପ୍ରଦାୟର ଲୋକେ। ଚାରିଦିନ ଧରି ଚାଲୁଥିବା ଏହି ପର୍ବରେ ବ୍ରତଧାରୀମାନେ ଉପବାସ ରହି ସୂର୍ଯ୍ୟଦେବତାଙ୍କ ଆରାଧନା କରିଥାନ୍ତି। ଜଳାଶୟ ନିକଟରେ ଏକତ୍ରିତ ହୋଇ ଅସ୍ତଗାମୀ ସୂର୍ଯ୍ୟଙ୍କୁ ସାନ୍ଧ୍ୟ ଅର୍ଘ୍ୟ ଏବଂ ପରଦିନ ଉଦୟମାନ ସୂର୍ଯ୍ୟଙ୍କୁ ପ୍ରାତଃ ଅର୍ଘ୍ୟ ପ୍ରଦାନ କରିଥାନ୍ତି।
ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ସନ୍ତାନମାନଙ୍କ ମଙ୍ଗଳ କାମନା କରି ଏହି ପୂଜା କରାଯାଇଥାଏ । ନିଜର ପରମ୍ପରା ଓ ସଂସ୍କୃତିକୁ ଅକ୍ଷୁଣ୍ଣ ରଖି କୋଇଡ଼ାରୁ ମୁନିଗୁଡ଼ା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଏକାଠି ହୋଇ ଛଠ୍ ପୂଜା ପାଳନ କରିଛନ୍ତି ଶ୍ରଦ୍ଧାଳୁ ।




