ମୋଦୀ ସରକାରଙ୍କ ୪ ମାଷ୍ଟରଷ୍ଟ୍ରୋକ୍! ଚାଷୀ ଓ ଉଦ୍ୟୋଗୀଙ୍କ ପାଇଁ ବଡ଼ ଖୁସି ଖବର

ଆନ୍ତର୍ଜାତିକ ବଜାରରେ ସାର ଓ କଞ୍ଚାମାଲର ଦର ବୃଦ୍ଧିର ପ୍ରଭାବ ଯେପରି ଚାଷୀଙ୍କ ଉପରେ ନପଡ଼େ, ସେଥିପାଇଁ ରବି ୨୦୨୬-୨୭ ଋତୁରେ ଫସ୍ଫେଟ୍ ଓ ପଟାସ୍ଯୁକ୍ତ ସାର ପାଇଁ ୬୨ ହଜାର ୩୭୦ କୋଟି ୨ ଲକ୍ଷ ଟଙ୍କାର ସବ୍ସିଡିକୁ ଅନୁମୋଦନ କରାଯାଇଛି। ୟୁରିଆ ସବ୍ସିଡିକୁ ମିଶାଇଲେ ଚଳିତ ଆର୍ଥିକ ବର୍ଷରେ ସାର ସବ୍ସିଡିର ମୋଟ ଆକାର ପ୍ରାୟ ୩ ଲକ୍ଷ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ଏହାସହ ନଭେମ୍ବର ୧୦ ସୁଦ୍ଧା ଦେଶରେ ସାର ମହଜୁଦ ପରିମାଣ ୨୩୫.୨୧ ଲକ୍ଷ ଟନ୍ରେ ପହଞ୍ଚିଛି। ଯାହା ଗତବର୍ଷ ତୁଳନାରେ ଅଧିକ। ଏହାଦ୍ୱାରା ଚାଷୀଙ୍କୁ ସାର ଯୋଗାଣରେ ଆଶ୍ୱସ୍ତି ମିଳିବ ବୋଲି କହିଛି ରାଜ୍ୟ ବିଜେପି।
ଦ୍ୱିତୀୟ ନିଷ୍ପତ୍ତି ମହିଳା ଏବଂ ଅନୁସୂଚିତ ଜାତି, ଜନଜାତି ଉଦ୍ୟୋଗୀଙ୍କ ପାଇଁ। ଷ୍ଟାଣ୍ଡ୍-ଅପ୍ ଇଣ୍ଡିଆ ଯୋଜନାର ଅବଧିକୁ ୩୧ ମାର୍ଚ୍ଚ ୨୦୩୧ ପର୍ଯ୍ୟନ୍ତ ବଢ଼ାଇବା ସହ ୪ ହଜାର ୧୧୧ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ପାଣ୍ଠିକୁ ଅନୁମୋଦନ ମିଳିଛି। ଏହା ମାଧ୍ୟମରେ ଅତି କମ୍ରେ ୨ ଲକ୍ଷ ୫୦ ହଜାର ମହିଳା, ଅନୁସୂଚିତ ଜାତି ଓ ଜନଜାତି ଉଦ୍ୟୋଗୀଙ୍କୁ ସହାୟତା ଦେବାର ଲକ୍ଷ୍ୟ ରହିଛି।ବିଶେଷକରି ଓଡ଼ିଶାର ଜନଜାତି ବହୁଳ ଅଞ୍ଚଳ ଏବଂ ମହିଳା ଉଦ୍ୟୋଗୀଙ୍କ ପାଇଁ ଏହା ନୂଆ ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି ସତ୍ୟବ୍ରତ ପଣ୍ଡା।
ତୃତୀୟ ନିଷ୍ପତ୍ତି ହେଉଛି ମୁଦ୍ରା ଯୋଜନାକୁ ନେଇ। କ୍ଷୁଦ୍ର ୟୁନିଟ୍ଗୁଡ଼ିକ ପାଇଁ ଋଣ ଗ୍ୟାରେଣ୍ଟି ପାଣ୍ଠିର ଅବଧି ୨୦୩୧ ପର୍ଯ୍ୟନ୍ତ ବଢ଼ାଯାଇଛି। ଏଥିସହ ୫ ହଜାର କୋଟି ଟଙ୍କାର ପାଣ୍ଠିକୁ ମଧ୍ୟ ଅନୁମୋଦନ ମିଳିଛି। ଆସନ୍ତା ପାଞ୍ଚ ବର୍ଷରେ ୧୨.୬ ଲକ୍ଷ କୋଟି ଟଙ୍କାର ମୁଦ୍ରା ଋଣ ପ୍ରଦାନକୁ ଏହା ସହଜ କରିବ। ଏହାଦ୍ୱାରା ଯୁବକ ଯୁବତୀ, କାରିଗର, ଛୋଟ ବ୍ୟବସାୟୀ ଏବଂ କ୍ଷୁଦ୍ର ଉଦ୍ୟୋଗୀମାନେ ବିନା ବନ୍ଧକରେ ଋଣ ପାଇବାର ସୁଯୋଗ ପାଇପାରିବେ। ସ୍ଥାନୀୟ ଉତ୍ପାଦନ, କୃଷି ସହଯୋଗୀ ବ୍ୟବସାୟ ଏବଂ ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧିରେ ଏହା ସହାୟକ ହେବ ବୋଲି ରାଜ୍ୟ ବିଜେପି ମତ ରଖିଛି।
ସେହିପରି ନୂଆଦିଲ୍ଲୀର ନର୍ଥ ବ୍ଲକ୍ ଓ ସାଉଥ୍ ବ୍ଲକ୍ରେ ୩ ହଜାର ୨୩୦ କୋଟି ଟଙ୍କା ବ୍ୟୟରେ ‘ଯୁଗେ ଯୁଗୀନ ଭାରତ ସଂଗ୍ରହାଳୟ’ ବିକାଶ କରାଯିବ। ଏହି ସଂଗ୍ରହାଳୟରେ ଭାରତର ହଜାର ହଜାର ବର୍ଷର ସଭ୍ୟତା, କଳା, ସଂସ୍କୃତି ଓ ଜ୍ଞାନର ଯାତ୍ରାକୁ ପ୍ରଦର୍ଶିତ କରାଯିବ। ଏହାସହ ଐତିହାସିକ କୋଠାଗୁଡ଼ିକର ସ୍ଥାପତ୍ୟ ମଧ୍ୟ ସଂରକ୍ଷଣ କରାଯିବ। ଏହି ସଂଗ୍ରହାଳୟରେ ଓଡ଼ିଶାର ସମୃଦ୍ଧ କଳିଙ୍ଗ ଐତିହ୍ୟ, ସାମୁଦ୍ରିକ ପରମ୍ପରା ଏବଂ ଜନଜାତି ସଂସ୍କୃତିକୁ ଯଥୋଚିତ ସ୍ଥାନ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି ସତ୍ୟବ୍ରତ ପଣ୍ଡା।




