ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ଧମକ !

ଜଣଙ୍କ ପରେ ଜଣଙ୍କୁ ମିଳୁଛି ହତ୍ୟାଧମକ । ଏଇ କିଛି ଦିନ ତଳେ ଟାଇଗର ଶ୍ରଫଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହା ପରେ ବିଗ-ବି ଅମିତାଭ ବଚ୍ଚନଙ୍କୁ ହତ୍ୟା ଧମକ ମିଳିଥିଲା । ଆଉ ଏବେ ବଲିଉଡ ଅଭିନେତାଙ୍କ ପରେ ଟାର୍ଗେଟରେ ରାଜନେତା । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ହତ୍ୟା ଧମକ। କେବଳ କେଜ୍ରିୱାଲ ନୁହନ୍ତି, ତାଙ୍କ ଝିଅ ହର୍ଷିତା କେଜ୍ରିୱାଲଙ୍କୁ ମଧ୍ୟ ହତ୍ୟା କରିବାକୁ ଧମକ ଦିଆଯାଇଛି।
୭ କୋଟି ଟଙ୍କା ନ ଦେଲେ ସେମାନଙ୍କୁ ହତ୍ୟା କରାଯିବ ବୋଲି ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ନିଜକୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତି ଏହି ଧମକ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଦିଲ୍ଲୀର ତିଳକ ନଗରର ବିଧାୟକ ଜର୍ନେଲ ସିଂଙ୍କୁ ଏହି ଧମକ ମିଳିଛି। ଜଣେ ଅଜଣା ବ୍ୟକ୍ତି ତାଙ୍କ ବ୍ୟକ୍ତିଗତ ମୋବାଇଲ ନମ୍ବରକୁ ଫୋନ୍ କରିବା ସହ ହ୍ୱାଟ୍ସଆପ୍ ମାଧ୍ୟମରେ ଧମକପୂର୍ଣ୍ଣ ମେସେଜ୍ ପଠାଇଛି।
ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି କହିଥିଲେ। କେଜ୍ରିୱାଲଙ୍କୁ ୭ କୋଟି ଟଙ୍କା ଦେବାକୁ କୁହ। ନଚେତ୍ ତାଙ୍କୁ ଏବଂ ତାଙ୍କ ଝିଅଙ୍କୁ ଜୀବନରୁ ମାରିଦିଆଯିବ ବୋଲି ଧମକ ଦିଆଯାଇଥିବା ବିଧାୟକ ନିଜ ଅଭିଯୋଗରେ ଦର୍ଶାଇଛନ୍ତି।




