2029ରେ ଲଢ଼ିବେନି ସାରଦା !

ବଡ଼ ଘୋଷଣା କଲେ ରାଉରକେଲା ବିଧାୟକ ସାରଦା ନାୟକ! ଆଗାମୀ ନିର୍ବାଚନରେ ଆଉ ଲଢ଼ିବେ ନାହିଁ ବିଧାୟକ ନିର୍ବାଚନ। ୨୦୨୯ ସାଧାରଣ ନିର୍ବାଚନରେ ସେ ଆଉ ବିଧାୟକ ପ୍ରାର୍ଥୀ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବୟସ ବୃଦ୍ଧି ଏବଂ ଶାରୀରିକ ଅସୁସ୍ଥତା କାରଣରୁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି, ସେ ରାଜନୀତିରୁ ସନ୍ନ୍ୟାସ ନେଉନାହାନ୍ତି। ବରଂ ଆଗକୁ ମଧ୍ୟ ଦଳ ପାଇଁ କାମ କରିବେ ବୋଲି ସ୍ପଷ୍ଟ କରିଛନ୍ତି।
ସାରଦା ନାୟକ କହିଛନ୍ତି, ରାଉରକେଲାବାସୀ ତାଙ୍କୁ ଚାରି ଚାରି ଥର ବିଧାୟକ ଭାବେ ନିର୍ବାଚିତ କରିଛନ୍ତି। ଏଥିପାଇଁ ସେ ରାଉରକେଲାବାସୀଙ୍କ ନିକଟରେ ସବୁବେଳେ କୃତଜ୍ଞ ରହିବେ। ଲୋକଙ୍କ ଭଲପାଇବା ଓ ସମର୍ଥନକୁ କେବେ ଭୁଲିପାରିବେ ନାହିଁ ବୋଲି କହିଛନ୍ତି। ସେହିପରି ଆଗାମୀ ଦିନରେ ଡିଲିମିଟେସନ୍ ଏବଂ ମହିଳା ସଂରକ୍ଷଣକୁ ଦୃଷ୍ଟିରେ ରଖି ଅନେକ ନୂଆ ଓ ଯୋଗ୍ୟ ଚେହେରା ରାଜନୀତିକୁ ଆସିବେ ବୋଲି ମତ ରଖିଛନ୍ତି। କେବଳ ସେତିକି ନୁହେଁ, ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଆସନରେ ବିଜୁ ଜନତା ଦଳ କିପରି ବିଜୟୀ ହେବ, ସେଥିପାଇଁ ସଂଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦେବେ। ଏହାସହ ନୂଆ ନେତୃତ୍ୱ ତିଆରି କରିବା ଦିଗରେ ମଧ୍ୟ କାମ କରିବେ ବୋଲି କହିଛନ୍ତି।
ତେବେ ୨୦୨୯ ନିର୍ବାଚନରେ ସାରଦା ନାୟକଙ୍କ ସ୍ଥାନରେ କିଏ ହେବେ ବିଜେଡିର ନୂଆ ଚେହେରା? ରାଉରକେଲା ରାଜନୀତିରେ କାହାକୁ ମିଳିବ ଦଳୀୟ ଟିକେଟ୍ ? ଏହାକୁ ନେଇ ଏବେଠାରୁ ଆରମ୍ଭ ହେଲାଣି ଚର୍ଚ୍ଚା।



