ଓଡ଼ିଶା

ପରିବା ବଜାରରେ ନିଆଁ! ହାଣ୍ଡିଶାଳରେ ମହଙ୍ଗା ମାଡ଼

କାର୍ତ୍ତିକ ମାସରେ ହାଣ୍ଡିଶାଳରେ ମହଙ୍ଗା ମାଡ଼! ପରିବା ବଜାରରେ ନିଆଁ। ଆଳୁ, ପିଆଜଠାରୁ ଆରମ୍ଭ କରି କଞ୍ଚା ପନିପରିବା, ସବୁର ଦର ଏବେ ଆକାଶଛୁଆଁ। କାର୍ତ୍ତିକ ମାସରେ ନିରାମିଷ ଖାଦ୍ୟର ଚାହିଦା ବଢ଼ୁଥିବା ବେଳେ ପରିବା ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି। ବଜାରକୁ ଗଲେ ବ୍ୟାଗ୍ ଭରୁନି, ହେଲେ ଖାଲି ହେଉଛି ପକେଟ୍। କାର୍ତ୍ତିକ ମାସରେ ନିରାମିଷ ଖାଦ୍ୟର ଚାହିଦା ଅଧିକ ରହୁଥିବାରୁ ପରିବାର ଚାହିଦା ମଧ୍ୟ ବଢ଼ିଛି। ହେଲେ ଚାହିଦା ଅନୁସାରେ ଯୋଗାଣ ନଥିବାରୁ ବଜାରରେ ଦର ଉପରମୁହାଁ ହୋଇଛି।

ପରିବା ଦର ବୃଦ୍ଧି ପଛରେ ରହିଛି ଏକାଧିକ କାରଣ। କଞ୍ଚା ପନିପରିବା ଯୋଗାଣ ପାଇଁ ଓଡ଼ିଶା ଅନେକ କ୍ଷେତ୍ରରେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। କିନ୍ତୁ ବାହାର ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ପରିବା ଫସଲ ନଷ୍ଟ ହୋଇଛି। ଫଳରେ ଓଡ଼ିଶାକୁ ପରିବା ଆମଦାନୀ ଓ ଯୋଗାଣ ପ୍ରଭାବିତ ହୋଇଛି। ଆଉ ଏହାର ସିଧାସଳଖ ପ୍ରଭାବ ପଡ଼ିଛି ବଜାର ଦର ଉପରେ। କେବଳ ବାହାର ରାଜ୍ୟ ନୁହେଁ, ଓଡ଼ିଶାର ସ୍ଥାନୀୟ ଚାଷୀ ମଧ୍ୟ ପ୍ରଭାବିତ। ବନ୍ୟା ଯୋଗୁଁ ଅନେକ ଅଞ୍ଚଳରେ ପରିବା ଫସଲ ନଷ୍ଟ ହୋଇଛି। ଅନେକ ଚାଷୀଙ୍କ ଫସଲ ଏପର୍ଯ୍ୟନ୍ତ ଅମଳ ହୋଇନାହିଁ। ଫଳରେ ସ୍ଥାନୀୟ ବଜାରକୁ ପରିବା ଆସିବା ପରିମାଣ କମିଛି।

ଗୋଟିଏ ପଟେ ଫସଲ ନଷ୍ଟ, ଅନ୍ୟପଟେ ବାହାର ରାଜ୍ୟରୁ କମ୍ ଯୋଗାଣ। ଏହି ଦୁଇଟି କାରଣ ଏବେ ପରିବା ବଜାରରେ ଦରବୃଦ୍ଧିର ମୁଖ୍ୟ କାରଣ ପାଲଟିଛି। ଏପଟେ ପରିବା ଦର ବଢ଼ିବାରୁ ସାଧାରଣ ମଧ୍ୟବିତ୍ତ ଓ ଗରିବ ପରିବାରଙ୍କ ବଜେଟ୍ ବିଗିଡ଼ିବାରେ ଲାଗିଛି। ରୋଷେଇ ଘରର ଖର୍ଚ୍ଚ ବଢ଼ୁଥିବା ବେଳେ ପରିବା କିଣିବା ସମୟରେ ହିସାବ କରିବାକୁ ପଡ଼ୁଛି ଖାଉଟିଙ୍କୁ। ତେବେ କାର୍ତ୍ତିକ ମାସରେ ପରିବା ଦର ଏଭଳି ଉପରମୁହାଁ ରହିଲେ ସାଧାରଣ ଖାଉଟିଙ୍କ ଉପରେ ମହଙ୍ଗା ବୋଝ ଆହୁରି ବଢ଼ିବ। ଯୋଗାଣ ସ୍ୱାଭାବିକ ହେଲେ ଦର କମିବ ବୋଲି ଆଶା ରହିଛି। ତେବେ କେବେ ବଜାରକୁ ଫେରିବ ସ୍ୱାଭାବିକ ସ୍ଥିତି, ତାହାକୁ ଅପେକ୍ଷା କରିଛନ୍ତି ଖାଉଟି।

Related Articles

Back to top button