
ଗଞ୍ଜାମରେ ବନ୍ୟା ଆସିଲା, ଭାସିଗଲା ଲୋକଙ୍କ ଧନସମ୍ପତ୍ତି। ଉଜୁଡ଼ିଗଲା ଘରଦ୍ୱାର, ପ୍ରଭାବିତ ହେଲା ଜନଜୀବନ। ହେଲେ ଏହି ବନ୍ୟା ପରିସ୍ଥିତିକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ବିଜେଡିର ଅଭିଯୋଗ, ସରକାରଙ୍କ ଦାୟିତ୍ୱହୀନତା ଏବଂ ଜଳସମ୍ପଦ ବିଭାଗର ଅବହେଳା ଯୋଗୁଁ ଗଞ୍ଜାମରେ ଏଭଳି ବନ୍ୟା ପରିସ୍ଥିତି ଉପୁଜିଲା। ପୂର୍ବରୁ ପ୍ରସ୍ତୁତି କରାଯାଇଥିଲେ ଏତେ ବଡ଼ ବିପର୍ଯ୍ୟୟକୁ ରୋକାଯାଇ ପାରିଥାନ୍ତା ବୋଲି କହିଛି ଦଳ।
ବିଜେଡି ନେତ୍ରୀ ଟୁକୁନି ସାହୁଙ୍କ ଅଭିଯୋଗ ଅନୁସାରେ, ଅକ୍ଟୋବର ୨୩ରୁ ୨୮ ତାରିଖ ମଧ୍ୟରେ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଥିଲା। ତଥାପି ଆଗୁଆ ଡ୍ୟାମ୍ ପରିଚାଳନା କାହିଁକି କରାଗଲା ନାହିଁ? ପୁରୁଷୋତ୍ତମପୁର ନିକଟରେ ଋଷିକୂଲ୍ୟା ନଦୀରେ ଅକ୍ଟୋବର ୨୮ ମଧ୍ୟାହ୍ନ ସୁଦ୍ଧା ଜଳ ପ୍ରବାହ ମାତ୍ର ୭ ହଜାର କ୍ୟୁସେକ୍ ଥିଲା। କିନ୍ତୁ ପରେ ଏହା ବୃଦ୍ଧି ପାଇ ପ୍ରାୟ ୧ ଲକ୍ଷ ୩୭ ହଜାର କ୍ୟୁସେକ୍ରେ ପହଞ୍ଚିଥିଲା। ଅନ୍ୟପଟେ ଭଞ୍ଜନଗର ଜଳଭଣ୍ଡାରର ଜଳସ୍ତର ଦୀର୍ଘଦିନ ଧରି ପ୍ରାୟ ୮୦ ପ୍ରତିଶତ ରହିଥିବା ସତ୍ତ୍ୱେ ଆଗୁଆ ଜଳ ନିଷ୍କାସନ କାହିଁକି କରାଗଲା ନାହିଁ ବୋଲି ପ୍ରଶ୍ନ ଉଠାଇଛି ବିଜେଡି।
କେବଳ ଡ୍ୟାମ୍ ପରିଚାଳନା ନୁହେଁ, ଡ୍ୟାମ୍ର ଗେଟ୍ ଖୋଲିବା ପୂର୍ବରୁ ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ଆଗୁଆ ସତର୍କ କରାଯାଇନଥିବା ମଧ୍ୟ ଅଭିଯୋଗ କରିଛି ବିଜେଡି। ଫଳରେ ଲୋକମାନେ ନିଜର ଗୃହପାଳିତ ପଶୁ, ଘରୋଇ ସାମଗ୍ରୀ ଓ ଅନ୍ୟାନ୍ୟ ସମ୍ପତ୍ତିକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପର୍ଯ୍ୟାପ୍ତ ସମୟ ପାଇନଥିଲେ ବୋଲି ଟୁକୁନି ସାହୁ ଅଭିଯୋଗ କରିଛନ୍ତି। ସେପଟେ ଗଞ୍ଜାମ ପାଇଁ ପୂର୍ବ ପ୍ରସ୍ତୁତି ନଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନ ଏବଂ ଋଷିକୂଲ୍ୟା ନଦୀରେ ଡ୍ୟାମ୍ ନଥିବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଟୁକୁନି ସାହୁ।
ବିଜେଡି ଶାସନର ୨୪ ବର୍ଷର ବିପର୍ଯ୍ୟୟ ପରିଚାଳନାକୁ ମନେ ପକାଇବା ସହ ବର୍ତ୍ତମାନର ସରକାରଙ୍କୁ ନିଜ ଦାୟିତ୍ୱ ସ୍ୱୀକାର କରିବାକୁ ଆହ୍ୱାନ ଦେଇଛନ୍ତି। ସରକାର ଯଦି ଗଞ୍ଜାମବାସୀଙ୍କ ସ୍ୱାର୍ଥ ପ୍ରତି ଅବହେଳା କରନ୍ତି, ତେବେ ବିଜେଡି ନିଜର ପ୍ରତିବାଦ ଜାରି ରଖିବ ବୋଲି ଚେତାବନୀ ଦେଇଛି।




