
ଛାତ୍ରଛାତ୍ରୀ, ଯୁବପିଢ଼ି, ଚାଷୀ ଓ ଗରିବଙ୍କ ସ୍ୱାର୍ଥକୁ ଗୁରୁତ୍ୱ। ରାଜ୍ୟ କ୍ୟାବିନେଟ୍ରେ ଏକାଧିକ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। କଲେଜ ଓ ବିଶ୍ୱବିଦ୍ୟାଳୟରେ ଦୈନିକ ୧ ଜିବି ମାଗଣା ଇଣ୍ଟରନେଟ୍ ଡାଟା, ଓସିଏସ୍ ପରୀକ୍ଷାରେ ପ୍ରୟାସ ସଂଖ୍ୟା ସୀମା ଉଚ୍ଛେଦ, ଭାଗଚାଷୀଙ୍କ ପାଇଁ ଡିଜିଟାଲ୍ ବ୍ୟବସ୍ଥା ସହ ଜଳସେଚନ ଓ ଶକ୍ତି କ୍ଷେତ୍ରରେ ବଡ଼ ପଦକ୍ଷେପ। କ୍ୟାବିନେଟ୍ର ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କ୍ୟାବିନେଟ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା।
ସବୁଠାରୁ ବଡ଼ କଥା ହେଉଛି, ଏଣିକି ରାଜ୍ୟର ୬୦୧ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଗବେଷକ ଓ ଅଧ୍ୟାପକଙ୍କୁ ପ୍ରତିଦିନ ୧ ଜିବି ମାଗଣା ହାଇସ୍ପିଡ୍ ୱାଇଫାଇ ଡାଟା ମିଳିବ। ଏଥିପାଇଁ ୩୯୩ କୋଟି ୬୨ ଲକ୍ଷ ଟଙ୍କାର ବଜେଟ୍ ମଞ୍ଜୁର ହୋଇଛି। ସେହିପରି ଓସିଏସ୍ ପରୀକ୍ଷାରେ ପ୍ରୟାସ ସଂଖ୍ୟା ଉପରେ ଥିବା ସୀମାକୁ ଉଚ୍ଛେଦ କରାଯାଇଛି। ଏହାଦ୍ୱାରା ନିର୍ଦ୍ଧାରିତ ସର୍ବୋଚ୍ଚ ବୟସସୀମା ମଧ୍ୟରେ ଯୋଗ୍ୟ ପ୍ରାର୍ଥୀମାନେ ଯେତେଥର ଚାହିଁବେ ପରୀକ୍ଷା ଦେଇପାରିବେ। ଯାହା ରାଜ୍ୟର ହଜାର ହଜାର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି।
ଅନ୍ୟପଟେ ଭାଗଚାଷୀଙ୍କ ଧାନ ବିକ୍ରି ପ୍ରକ୍ରିୟାକୁ ସରଳ କରିବା ପାଇଁ ଆଧାର ଆଧାରିତ ବାୟୋମେଟ୍ରିକ୍ ଅଥେଣ୍ଟିକେସନ୍ ଓ ଡିଜିଟାଲ୍ କନ୍ସେଣ୍ଟ ବ୍ୟବସ୍ଥା ଆରମ୍ଭ ହେବ। ଏହାଦ୍ୱାରା ଦୂରରେ ରହୁଥିବା ଜମି ମାଲିକମାନେ ମୋବାଇଲ୍ ଆପ୍ ଜରିଆରେ ଡିଜିଟାଲ୍ ସମ୍ମତି ଦେଇପାରିବେ। ଚାଷୀଙ୍କ ଜଳସେଚନ ପାଇଁ ମଧ୍ୟ କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ନୂଆପଡ଼ା ଜିଲ୍ଲାର ବୋଡ଼େନ, ସିନାପାଲି ଓ କୋମନା ବ୍ଲକରେ ୭ଟି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ୫୯ଟି ଗାଁର ପ୍ରାୟ ୮ ହଜାର ୮୦୦ ହେକ୍ଟର ଜମି ଜଳସେଚିତ ହେବ।
ଏହାସହ ଟିଟିଲାଗଡ଼ ଅଞ୍ଚଳରେ ଜଳସଂରକ୍ଷଣ ପ୍ରକଳ୍ପ ଏବଂ କଳାହାଣ୍ଡିରେ ୬୦୦ ମେଗାୱାଟ୍ ବିଶିଷ୍ଟ ଉପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି।ଏହାବ୍ୟତୀତ ଭତ୍ତା ପ୍ରଦାନ କ୍ଷେତ୍ରରେ ମଧ୍ୟ ବଡ଼ ପଦକ୍ଷେପ ନିଆଯାଇଥିବା କହିଛନ୍ତି ଶ୍ରୀ ପରିଡ଼ା। ତାଙ୍କ କହିବା ଅନୁଯାୟୀ, ବାଲେଶ୍ୱରରୁ ଏକକାଳୀନ ୫ ଲକ୍ଷ ୫ ହଜାର ୮୧୭ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି।




