
ମଧୁବାବୁ ପେନସନ୍ ଯୋଜନାରେ ଆଉ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ସାମିଲ କରିବାକୁ ରାଜ୍ୟ ସରକାରଙ୍କ ଘୋଷଣାକୁ ନେଇ ତେଜିଲା ରାଜନୀତି। ସରକାରଙ୍କ ଘୋଷଣା ଓ ବାସ୍ତବତା ମଧ୍ୟରେ ରହିଛି ଆକାଶ ପାତାଳ ଫରକ। ପୁରୁଣା ହିତାଧିକାରୀଙ୍କୁ ଠିକ୍ ସମୟରେ ଭତ୍ତା ମିଳୁନଥିବା ବେଳେ ନୂଆ ହିତାଧିକାରୀଙ୍କୁ ସାମିଲ କରିବା କେବଳ ରାଜନୈତିକ ପ୍ରଚାର ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ।
ବିଜେଡିର ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ଯୋଜନାରେ ସାମିଲ ଥିବା ଅନେକ ପୁରୁଣା ହିତାଧିକାରୀ ମାସ ମାସ ଧରି ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରିକି ଭତ୍ତା ଉପରେ ନିର୍ଭର କରୁଥିବା ଅସହାୟ ବୃଦ୍ଧବୃଦ୍ଧା ଓ ବିଧବା ମହିଳାମାନେ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରସଙ୍ଗରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଚଡ଼ିଆପଡ଼ା ଗ୍ରାମର ୬୭ ବର୍ଷୀୟା ବିଧବା ମହିଳା ବି. ସାବିତ୍ରୀ ଦୋରାଙ୍କ ମୃତ୍ୟୁ ଘଟଣା ଉଠାଇଛି ବିଜେଡି। ଦଳର ଅଭିଯୋଗ ଅନୁଯାୟୀ, ତିନି ମାସ ଧରି ମାସିକ ୧୦୦୦ ଟଙ୍କାର ଭତ୍ତା ନପାଇବାରୁ ଜୁନ୍ ୧୬ ତାରିଖରେ ସେ ଆତ୍ମହତ୍ୟା କରିଥିଲେ।
ସେହିପରି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ମାସ ମାସ ଧରି ଭତ୍ତା ନମିଳିବାରୁ ହିତାଧିକାରୀମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିବା ଅଭିଯୋଗ କରିଛି ଦଳ।ଅନ୍ୟପଟେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ରାଇସୁଆନ ଗ୍ରାମର ୭୦ ବର୍ଷୀୟା ପଥୁରୀ ଦେହୁରୀଙ୍କ ଉଦାହରଣ ଦେଇଛି ବିଜେଡି। ଭତ୍ତା ପାଇବା ପାଇଁ ସେ ଦୁଇ କିଲୋମିଟର ଘୁସୁରି ଘୁସୁରି ଯାଇଥିବା କହି ସରକାରଙ୍କ ସମ୍ବେଦନହୀନତାକୁ ଦଳ ସମାଲୋଚନା କରିଛି।
ତେବେ ଏହି ସବୁ ଘଟଣାକୁ ନେଇ ବିଜେଡିର ଦାବି ହେଉଛି, ପ୍ରଥମେ ପୁରୁଣା ହିତାଧିକାରୀଙ୍କୁ ନିୟମିତ ଭତ୍ତା ପ୍ରଦାନ କରାଯାଉ। ଭତ୍ତା ବଣ୍ଟନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରାଯାଉ। ଭତ୍ତା ବିଳମ୍ବ ଯୋଗୁଁ ମୃତ୍ୟୁ ଘଟିଥିବା ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ। ଏହା ସହ ଆଗକୁ ଭତ୍ତା ପ୍ରଦାନରେ ବିଳମ୍ବ ହେଲେ ଜନସାଧାରଣଙ୍କ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ବିଜେଡି। ଏବେ ଦେଖିବାକୁ ବାକି ରହିଲା, ବିଜେଡିର ଏହି ଅଭିଯୋଗ ଉପରେ ରାଜ୍ୟ ସରକାର କ’ଣ ଜବାବ ରଖୁଛନ୍ତି।




