ରାଜଧାନୀରେ ଗଡ଼ିଲା ମୁଣ୍ଡ।ପରକ୍ରିୟା ପ୍ରୀତିରୁ ହତ୍ୟା !

ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ । ପରକ୍ରିୟା ପ୍ରୀତିରୁ ପଥରରେ ଛେଚି ହତ୍ୟା ସନ୍ଦେହ । ଏହି ହତ୍ୟାକାଣ୍ଡ ଭୁବନେଶ୍ବର ଭିଏସଏସ ନଗର ତାରିଣୀ ବସ୍ତିରେ ଘଟିଛି । ମୃତକଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ନେପାଳର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ମଞ୍ଚେଶ୍ୱର ଥାନା ପୁଲିସ। ଘଟଣାକୁ ନେଇ ତଦନ୍ତ ଜାରି ରହିଛି ।
ସୂଚନା ଅନୁସାରେ, ତାରିଣୀ ବସ୍ତିରେ ନେପାଳର ଏକ ଦମ୍ପତି ରହୁଥିଲେ । ସେହି ଦମ୍ପତିଙ୍କ ପଡ଼ୋଶୀ ଭାବେ ଗଞ୍ଜାମର ଜଣେ ଯୁବକ ରହୁଥିଲେ । ତେବେ ଗଞ୍ଜାମ ଯୁବକଙ୍କ ସହ ନେପାଳୀ ମହିଳାଙ୍କ ଅନୈତିକ ସମ୍ପର୍କ ଥିବା ମହିଳାଙ୍କ ସ୍ୱାମୀ ସନ୍ଦେହ କରୁଥିଲେ। ଏହି ସନ୍ଦେହକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିବା କୁହାଯାଉଛି ।ଅଭିଯୋଗ ଅନୁସାରେ, ଏହି ବିବାଦରୁ ଉତ୍ତ୍ୟକ୍ତ ହୋଇ ମହିଳାଙ୍କ ସ୍ୱାମୀ ଗଞ୍ଜାମ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଅଟକ ରଖିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି ।




