କୋଟିଆକୁ ନେଇ ମହାସଂଗ୍ରାମ ! ହାଇଆଲର୍ଟରେ ଓଡ଼ିଶା

ରାତିପାହିଲେ ଆନ୍ଧ୍ରରେ ନିର୍ବାଚନ । ଆଉ କୋଟିଆକୁ ନେଇ ମହାସଂଗ୍ରାମ ! ଆନ୍ଧ୍ର କୋଟିଆରେ ନିର୍ବାଚନ ପାଇଁ ପ୍ରସ୍ତୁତ କରୁଥିବା ବେଳେ ସୀମାରେ ହାଇଆଲର୍ଟ ଜାରି କରିଛି ଓଡିଶା । ମରିବୁ ପଛେ କୋଟିଆ ଛାଡ଼ିବୁ ନାହିଁ ବୋଲି ଗୋ-ବ୍ୟାକ୍ ନାରାରେ କମ୍ପିଲା ସୀମା । କୋଟିଆରେ ବୁଥ୍ ନିର୍ମାଣକୁ ରୋକିବା ପାଇଁ ମୁତୟନ ହେଲେ ଶତାଧିକ ପୋଲିସ କର୍ମଚାରୀ । ଆଉ ୮ ପ୍ଲାଟୁନ୍ ଫୋର୍ସ ପଠାଇବାକୁ ଘୋଷଣା କଲେ ରାଜସ୍ୱ ମନ୍ତ୍ରୀ।
କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ପୁଣି ତେଜିଲା ସୀମା ବିବାଦ । ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନକୁ ନେଇ ଏବେ କୋଟିଆରେ ଉତ୍ତେଜନାର ମାହୋଲ । ସୀମାରେ ଏକାଠି ହୋଇଛନ୍ତି ସବୁ ରାଜନୈତିକ ଦଳର ନେତା ଓ କର୍ମୀ । ହାତରେ ପୋଷ୍ଟର, ବ୍ୟାନର ଧରି ଦେଉଛନ୍ତି ଗୋ-ବ୍ୟାକ୍ ନାରା । ପୂରା କୋଟିଆ ଅଞ୍ଚଳରେ ଏବେ ରାଜନୈତିକ ଉଷ୍ମତା ଚରମରେ । ଆନ୍ଧ୍ରର ନିର୍ବାଚନୀ ପ୍ରୟାସକୁ ରୋକିବା ପାଇଁ କୋଟିଆ ସୀମାରେ କଡ଼ା ସୁରକ୍ଷା ବଳୟ ସୃଷ୍ଟି କରିଛି ଓଡ଼ିଶା ପ୍ରଶାସନ।
ଶତାଧିକ ପୁଲିସ କର୍ମଚାରୀ ସୀମାରେ ମୁତୟନ ହୋଇଛନ୍ତି । ଗାଡ଼ିମୋଟର ଯାଞ୍ଚକୁ ଜୋରଦାର କରାଯାଇଛି। ଆନ୍ଧ୍ରର କୌଣସି ଅଧିକାରୀ କିମ୍ବା ଗାଡ଼ିକୁ କୋଟିଆ ଭିତରକୁ ପ୍ରବେଶ କରିବାକୁ ନଦେବା ପାଇଁ ପ୍ରଶାସନ ସଜାଗ ରହିଛି ।




