Breaking News

ଦୀପାବଳି ଓ କାଳୀପୂଜା ପାଇଁ କଟକ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା

ଦୀପାବଳି ଓ କାଳୀପୂଜାକୁ ନେଇ ଆକ୍ସନ୍ ମୋଡ୍‌ରେ କଟକ ପୁଲିସ। ପର୍ବପର୍ବାଣୀକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କରାଯାଇଛି କଡ଼ାକଡ଼ି।କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ଅନୁସାରେ, ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ହିଁ ଫୁଟାଇପାରିବେ ବାଣ। ରାତି ୯ଟା ପରେ ବାଣ ଫୁଟାଇବା ଉପରେ ରହିଛି କଟକଣା। ନିୟମ ଉଲ୍ଲଂଘନ ନକରିବାକୁ ସହରବାସୀଙ୍କୁ ଅପିଲ୍ କରିଛନ୍ତି ଡିସିପି।

ସେପଟେ କଟକର ସଂକୀର୍ଣ୍ଣ ଗଳିକନ୍ଦି ଓ ଘନ ଜନବସତିକୁ ଦୃଷ୍ଟିରେ ରଖି ରକେଟ୍ ବାଣ ବ୍ୟବହାର ନକରିବାକୁ ମଧ୍ୟ ଦିଆଯାଇଛି ପରାମର୍ଶ। ଅଗ୍ନିକାଣ୍ଡ ଭଳି ଅଘଟଣକୁ ଏଡ଼ାଇବା ପାଇଁ ସହରର ୭ଟି ସ୍ଥାନରେ ବାଣ ଦୋକାନ ପାଇଁ ଖୋଲା ସ୍ଥାନ ଚିହ୍ନଟ କରିଛି ପୁଲିସ।ଅନ୍ୟପଟେ ବେଆଇନ ବାଣ କାରବାର ବିରୋଧରେ କଟକ ପୁଲିସର ଜୋରଦାର ଅଭିଯାନ। ଚୋରା ବାଣ ବିକ୍ରି, ବେଆଇନ ଭାବେ ବାଣ ମହଜୁଦ ରଖିବା ଓ ପରିବହନ ଅଭିଯୋଗରେ ଏଯାଏଁ ୮ଟି ମାମଲା ରୁଜୁ ହୋଇଛି। ପୁଲିସ ପ୍ରାୟ ୪୦ ଲକ୍ଷ ଟଙ୍କାର ବାଣ ସହ ଦୁଇଟି କାର୍ ଜବତ କରିଥିବା ବେଳେ ୩ ଜଣଙ୍କୁ କରିଛି ଗିରଫ।

ଏପରିକି ଆଜି ବିଡ଼ାନାସୀ ଅଞ୍ଚଳରେ ଏକ ବେଆଇନ ବାଣ ଗୋଦାମ ଉପରେ ପୁଲିସର ଚଢ଼ାଉ ଜାରି ରହିଛି। ଏହା ପୂର୍ବରୁ ବାରଙ୍ଗ ଓ ୪୨ ମୌଜା ଅଞ୍ଚଳରୁ ମଧ୍ୟ ଜବତ ହୋଇଛି ବିପୁଳ ପରିମାଣର ବେଆଇନ ବାଣ।ବେଆଇନ ବାଣ କାରବାର ରୋକିବାକୁ ଆଗକୁ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି କଟକ ଡିସିପି। ତେବେ ପୁଲିସର ଏହି କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ନିୟମ ମାନି, ସୁରକ୍ଷିତ ଭାବେ ଦୀପାବଳି ଓ କାଳୀପୂଜା ପାଳନ କରିବାକୁ ସହରବାସୀଙ୍କୁ କରାଯାଇଛି ଅନୁରୋଧ।

Related Articles

Back to top button