
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢ଼ିଛି। ଋଷିକୂଲ୍ୟା ପରେ ବନ୍ୟା ଆଶଙ୍କାରେ ଜଳକା ନଦୀ । ବିପଦ ସଙ୍କେତ ଅତିକ୍ରମ କରିଛି ନଦୀର ଜଳସ୍ତର । ଫଳରେ ବାଲେଶ୍ୱର ଜିଲ୍ଲାର ବସ୍ତା ଅଞ୍ଚଳରେ ପୁଣି ବନ୍ୟା ଭୟ ଦେଖାଦେଇଛି ।
ସୂଚନା ଅନୁସାରେ, ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର ରହିଛି। ହେଲେ ଆଜି ସକାଳ ୬ଟା ସୁଦ୍ଧା ନଦୀର ଜଳସ୍ତର ୬.୫୪ ମିଟରରେ ପହଞ୍ଚିଛି । ଅର୍ଥାତ୍ ବିପଦ ସଙ୍କେତଠାରୁ ୪ ସେଣ୍ଟିମିଟର ଉପରେ ପ୍ରବାହିତ ହେଉଛି ଜଳକା । ନଦୀର ଉପରମୁଣ୍ଡରେ ଥିବା ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ଶୁଳିଆପଦା, ମୋରଡ଼ା ଓ ଚିତ୍ରଡ଼ା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଏହାର ପ୍ରଭାବରେ ନଦୀକୁ ଜଳପ୍ରବାହ ବଢ଼ିବା ସହ ଜଳସ୍ତର ଉପରମୁହାଁ ହୋଇଛି । ଏପଟେ ନଦୀର ଜଳସ୍ତର ବଢ଼ୁଥିବାରୁ ବସ୍ତା ଅଞ୍ଚଳର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଚିନ୍ତା ବଢ଼ିଛି ।
ସ୍ଥିତି ଆହୁରି ଗମ୍ଭୀର ହେଲେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏବଂ ବାଲେଶ୍ୱର ସଦର ବ୍ଲକର ୫ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ଜଳସ୍ତର ଉପରେ ନଜର ରଖାଯାଇଥିବା ବେଳେ ସମ୍ଭାବ୍ୟ ବନ୍ୟାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ବଢ଼ିଛି ।




