
ଭୁବନେଶ୍ୱର, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହ, ବାତ୍ୟା ଅର୍ଣ୍ଣବର ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସ୍ଥିତିକୁ ନେଇ, କଥା ହୋଇଛନ୍ତି। ବିପର୍ଯ୍ୟୟ ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ଲାଘବ କରିବା ପାଇଁ, କେନ୍ଦ୍ର ସରକାର ସବୁପ୍ରକାର ସହାୟତା ଯୋଗାଇ ଦେବେ ବୋଲି, ଶାହ ଆଶ୍ୱାସନା ଦେଇଛନ୍ତି । ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ସହ, ପ୍ରଭାବିତ ରାଜ୍ୟଗୁଡ଼ିକୁ, ଆଗକୁ କେତେ ସହାୟତା ଆବଶ୍ୟକ, ତାହା ଅନୁଧ୍ୟାନ କରିବା ପାଇଁ, ଖୁବ୍ଶୀଘ୍ର ଆନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ , ପଠାଯିବ ବୋଲି ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିପର୍ଯ୍ୟୟର ଏହି ସମୟରେ, ଦେଶବାସୀଙ୍କ ସହ କେନ୍ଦ୍ର ସରକାର, ଦୃଢ଼ ଭାବେ ଠିଆ ହୋଇଛନ୍ତି।ଗଞ୍ଜାମ ଜିଲ୍ଲାର ୪ଟି ସ୍ଥାନରେ, ଜଳବନ୍ଦୀ ହୋଇ ରହିଥିବା ପ୍ରାୟ ୧୨୦ ଜଣଙ୍କୁ, ହେଲିକପ୍ଟର ଯୋଗେ, ଉଦ୍ଧାର କରିବାକୁ ରାଜ୍ୟ ସରକାର,ଯୋଜନା କରୁଛନ୍ତି। ଗୁରୁବାର ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ, ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ, ଅନୁ ଗର୍ଗ। ଅତ୍ୟଧିକ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ, ଜଳବନ୍ଦୀ ରାସ୍ତାଘାଟରେ ପାଣି ଜମିବା ଏବଂ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ନେଇ, ଚିନ୍ତା ବଢ଼ିଛି। ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ, ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ୪୬୨.୪ ମିଲିମିଟର, ଗଞ୍ଜାମର ସାନଖେମୁଣ୍ଡିରେ, ୩୮୮ ମିଲିମିଟର, କନ୍ଧମାଳର ରାଇକିଆରେ, ୩୮୪.୮ ମିଲିମିଟର ଏବଂ ଗଞ୍ଜାମର ସୋରଡ଼ାରେ, ୩୭୫ ମିଲିମିଟର ବର୍ଷା ହୋଇଛି।




