ମୋବାଇଲ ନ୍ୟୁଜ 24×7, ରାଜ୍ୟରେ ଏବେ ମୌସୁମୀ ସକ୍ରିୟ । ରୁଆ ବେଉଷଣ କାର୍ୟ୍ୟର ଅଗ୍ରଗତି ପାଇଁ ଚାଷୀ ପାଗ ଭିଡିଥିବାବେଳେ ସରକାର ସାର ଯୋଗାଇ ଦେବାରେ ଅସମର୍ଥ ହେଉଛନ୍ତି । ପ୍ରେସମିଟରେ ଏଭଳି ଅଭିଯୋଗ ଆଣିଛି କଂଗ୍ରେସ । ପୂର୍ବତନ ବିଧାୟକ ତଥା ଓପିସିସି ସଂଗଠନ ପ୍ରଭାରୀ ସନ୍ତୋଷ ସିଂ ସାଲୁଜା, ଓପିସିସି କିଷାନ ବିଭାଗ ଅଧ୍ୟକ୍ଷ ଅଭୟ ସାହୁ, ଓପିସିସି ସମବାୟ ପ୍ରକୋଷ୍ଠର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ସରକାରଙ୍କୁ ଦାୟୀ କରି କହିଛନ୍ତି ଯେ, ଅଧିକ ଫସଲ ଅମଳ ପାଇଁ ସାରର ଯଥେଷ୍ଟ ଆବଶ୍ୟକତା ରହିଥିବା ବେଳେ ଠିକଣା ସମୟରେ ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ଯୋଗାଇଦେବାରେ ଏହି ସରକାର ସମ୍ପୂର୍ଣ୍ଣ ଅସମର୍ଥ । ସାର ପାଇଲେ ଉତ୍ପାଦନ ବଢ଼ିବ । ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପ୍ରତି ୩୧ଶହ ଟଙ୍କା ଦେବା ସରକାରଙ୍କ ପକ୍ଷେ ସମ୍ଭବ ହେଉନାହିଁ । ତେଣୁ ଚତୁରତାର ସହିତ ସାର ଯୋଗାଣରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ।
ସରକାର ନିଷ୍ପତ୍ତି କରିଥିଲେ ମାର୍କଫେଡ ତରଫରୁ ସବୁ ସୋସାଇଟି ଜରିଆରେ ଚାଷୀଙ୍କୁ ୬୦ ପ୍ରତିଶତ ସାର ଯୋଗାଇ ଦିଆଯିବ । କିନ୍ତୁ ଏବେ ଫଳ ଓଲଟା । ବହୁ ସୋସାଇଟରେ ତାଲା ଝୁଲୁଛି । ଆଧାର କାର୍ଡ ସହିତ ବିଧିବଧ ପ୍ରମାଣପତ୍ର ନ ଦେଖାଇଲେ ଚାଷୀ ସାର ପାଉନାହିଁ । ଯଦି ଚାଷୀ ଠିକଣା ସମୟରେ ୟୁରିଆ, ପଟାସ, ଗ୍ରୋମର ସାର ନ ପାଇ ପାରିବେ ତେବେ କରିବେ କ’ଣ? ଅନ୍ୟ ପଟେ ଚାଷୀଙ୍କୁ ସହଜରେ ସାର ଯୋଗାଇବା ପରିବର୍ତ୍ତେ ଉପ-ମୁଖ୍ୟମନ୍ତ୍ରୀ କୃଷି ବିଭାଗରେ ଥାଇ ସ୍ୱାସ୍ଥ୍ୟ ପାଇଁ ଫସଲରେ ରାସାୟନିକ ସାର ହିତକର ନୁହେଁ ବୋଲି ମନ୍ତବ୍ୟ ଦେବା ଏବଂ ସମବାୟ ମନ୍ତ୍ରୀ ଯଥେଷ୍ଟ ସାର ମହଜୁଦ ଅଛି, କେଉଁଠି କଳାବଜାରୀ ହେଉନାହିଁ କହିବା ଅତ୍ୟନ୍ତ କ୍ଷୋଭର ବିଷୟ । ମାନ୍ୟବର ସମବାୟ ମନ୍ତ୍ରୀ ଚାଷୀଙ୍କ ବାସ୍ତବ ସମସ୍ୟାକୁ ଗମ୍ଭୀରତା ସହିତ ବିଚାରକୁ ନେଇ ଚାଷୀ କିପରି ଆବଶ୍ୟକ ମୁତାବକ ସାର ନିର୍ଦ୍ଧାରିତ ସମୟ ଓ ନିର୍ଦ୍ଧାରିତ ମୂଲ୍ୟରେ ପାଇ ପାରିବେ ସେ ଦିଗରେ ଉଦ୍ୟମ କରନ୍ତୁ ବୋଲି କଂଗ୍ରେସ ନେତୃବୃନ୍ଦ ଦାବି କରିଛନ୍ତି ।
ଓଡ଼ିଶା ରାଜ୍ୟ ପାଇଁ ବିଭିନ୍ନ ସାରର ପ୍ରାୟ ୧୨ଲକ୍ଷ ମେଟ୍ରିକ୍ ଟନର ଆବଶ୍ୟକତା ରହିଛି । କିନ୍ତୁ ସରକାର ପୂର୍ବ ବର୍ଷର ଗଚ୍ଛିତ ସାରକୁ ମିଶାଇ ଏ ବର୍ଷର ଖରିଫ୍ ପାଇଁ ସାର ଯୋଗାଇବାକୁ ଚତୁରତାର ସହିତ ଲକ୍ଷ୍ୟ ଧାର୍ୟ୍ୟ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଚଞ୍ଚକତାର ଏକ ପରିଚୟ ବୋଲି କହିବା ସହ ସରକାରଙ୍କ ଚାଷୀମାରଣ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ଓ ସରକାର ଚାଷୀଙ୍କ ସମସ୍ୟା ତୁରନ୍ତ ସମାଧାନ କରନ୍ତୁ ବୋଲି କହିଛନ୍ତି । ଯଦି ସରକାର ଅବିଳମ୍ବେ ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ଠିକଣା ସମୟରେ ଚାଷୀଙ୍କୁ ସାର ଯୋଗାଇ ପାରିବେ ନାହିଁ କଂଗ୍ରେସ ଦଳ ତରଫରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ଚାଷୀ ଆନ୍ଦୋଳନ ପ୍ରତି ପଞ୍ଚାତୟସ୍ତରରେ ଦୁର୍ବାର କରାଯିବ ବୋଲି ସମ୍ମିଳନୀରେ କଂଗ୍ରେସ ନେତୃବୃନ୍ଦ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।




