ବାଣିଜ୍ୟ

କମିଲା ସୁନା ଦର । ୧୦ଦିନରେ ଏତେ ଖସିଲା

ସୁନା ବଜାରରେ ବଡ଼ ହଲଚଲ! ଲଗାତାର ଖସୁଛି ସୁନା ଦର। ମାତ୍ର ୧୦ଟି କାରବାର ଦିନରେ ୧୦ ଗ୍ରାମ ପିଛା ପ୍ରାୟ ୯ ହଜାର ୭୦୦ ଟଙ୍କା ଶସ୍ତା ହୋଇଛି ସୁନା। ଫଳରେ ଏମ୍‌ସିଏକ୍ସରେ ସୁନା ଦର ୧ ଲକ୍ଷ ୪୨ ହଜାର ଟଙ୍କା ତଳକୁ ଖସିଛି। ସୁନା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଆହୁରି ଶସ୍ତା ହେବ କି ସୁନା? ଶୁକ୍ରବାର କାରବାର ସମୟରେ ସୁନା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଥିଲା। ୧,୫୦୩ ଟଙ୍କା ହ୍ରାସ ସହ ୧୦ ଗ୍ରାମ ପିଛା ଦର ୧ ଲକ୍ଷ ୪୧ ହଜାର ୮୦୬ ଟଙ୍କାରେ ପହଞ୍ଚିଥିଲା।

ତେବେ ସୁନା ଦର ହ୍ରାସ ପଛରେ ରହିଛି ଏକାଧିକ କାରଣ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି, ମୁଦ୍ରାସ୍ଫୀତି ବଢ଼ିବାର ଆଶଙ୍କା ଏବଂ ଆମେରିକାରେ ସୁଧହାର ଅଧିକ ସମୟ ପର୍ଯ୍ୟନ୍ତ ଉଚ୍ଚ ସ୍ତରରେ ରହିବାର ସମ୍ଭାବନା ସୁନା ବଜାର ଉପରେ ଚାପ ପକାଉଛି। ବଜାର ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ସୁନା ଦରରେ ଆହୁରି ହ୍ରାସ ହେଲେ ଏହା ୧ ଲକ୍ଷ ୪୦ ହଜାରରୁ ୧ ଲକ୍ଷ ୪୧ ହଜାର ଟଙ୍କା ମଧ୍ୟରେ ରହିପାରେ। ତେବେ ସୁନା ଦର ପୁଣି ବଢ଼ିବ ନା ଆହୁରି ଖସିବ, ତାହା ନିର୍ଭର କରିବ ଅନ୍ତର୍ଜାତୀୟ ବଜାରର ଗତିବିଧି ଉପରେ।

ଏପଟେ ସୁନା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ନଜର ଏବେ ବଜାର ଉପରେ। ଦର ଆହୁରି କମିବ ବୋଲି ଅପେକ୍ଷା କରିବେ, ନା ବର୍ତ୍ତମାନର ଦରରେ କିଣିବେ ସେନେଇ ଦ୍ୱନ୍ଦ୍ୱରେ ଗ୍ରାହକ। ସୁନା ବଜାରରେ ଏହି ହ୍ରାସ କେତେ ଦିନ ଜାରି ରହିବ? ସୁନା କିଣିବା ପାଇଁ ଏହା ଉପଯୁକ୍ତ ସମୟ କି? ଏବେ ସମସ୍ତଙ୍କ ନଜର ସୁନା ଦରର ପରବର୍ତ୍ତୀ ଗତି ଉପରେ।

Related Articles

Back to top button