
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଦକ୍ଷିଣ-ପୂର୍ବ ଏବଂ ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତାକାଲି ଏହା ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୨୬ରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ହେବାର ସମ୍ଭାବନା ରହିଛି। ବାତ୍ୟା ସୃଷ୍ଟି ହେଲେ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଓଡିଶା ଉପକୂଳ ମୁହାଁ ହୋଇପାରେ। ବାତ୍ୟା ସୃଷ୍ଟି ପରେ ଆହୁରି ଶକ୍ତିଶାଳୀ ହେବା ସମ୍ଭାବନା ରହିଛି।
ଅକ୍ଟୋବର ମାସରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ପୂର୍ବ ରେକର୍ଡ ଥିବାରୁ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ଉତ୍କଣ୍ଠା ବୃଦ୍ଧି ପାଇଛି ।ଯଦିଓ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟାର ସମ୍ଭାବ୍ୟ ଗତିପଥ କିମ୍ବା ସ୍ଥଳଭାଗ ଛୁଇଁବା ସ୍ଥାନ ସମ୍ପର୍କରେ କୌଣସି ଚୂଡ଼ାନ୍ତ ଆକଳନ କରାଯାଇ ନାହିଁ, ତଥାପି ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି । ଯେଉଁମାନେ ପୂର୍ବରୁ ସମୁଦ୍ର ଭିତରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କୂଳକୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଚାଷୀମାନଙ୍କୁ ପାକଳ ଧାନ ଫସଲ ସୁରକ୍ଷିତ ସ୍ଥାନକୁ ଆଣିବାକୁ ପରାମର୍ଶ ମିଳିଛି ।




