ନ୍ୟୁଜିଲାଣ୍ଡଙ୍କୁ ହରାଇଲା ଭାରତ, ୨୨୬ ରନ୍ର ଟାର୍ଗେଟ୍ ହାସଲ କରି ରଚିଲା ଇତିହାସ!

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ। ଖ୍ରାଇଷ୍ଟଚର୍ଚ୍ଚର ହାଗଲି ଓଭାଲ୍ରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍ରେ ୪ ୱିକେଟ୍ରେ ବାଜି ମାରିଛି ଟିମ୍ ଇଣ୍ଡିଆ। ନ୍ୟୁଜିଲାଣ୍ଡ ଦେଇଥିବା ୨୨୬ ରନ୍ର ବିଶାଳ ଲକ୍ଷ୍ୟକୁ ମାତ୍ର ଦୁଇଟି ବଲ୍ ବାକି ଥାଇ ହାସଲ କରିଛି ଭାରତ। ଏହା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଭାରତର ସବୁଠାରୁ ବଡ଼ ସଫଳ ରନ୍ ଚେଜ୍ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ଭାରତର ଏହି ବିଜୟର ହିରୋ ସାଜିଥିଲେ ସଞ୍ଜୁ ସାମସନ୍। ମାତ୍ର ୩୩ଟି ବଲ୍ରୁ ୬୭ ରନ୍ର ବିସ୍ଫୋରକ ଇନିଂସ୍ ଖେଳିଥିଲେ ସଞ୍ଜୁ। ତାଙ୍କ ବ୍ୟାଟ୍ରୁ ଆସିଥିଲା ୮ଟି ଚୌକା ଓ ୪ଟି ଛକା। ଅନ୍ୟପଟେ ଯୁବ ବ୍ୟାଟର୍ ଅଭିଷେକ ଶର୍ମା ମଧ୍ୟ ମାତ୍ର ୧୨ଟି ବଲ୍ରୁ ୨୯ ରନ୍ କରି ଦଳକୁ ଦେଇଥିଲେ ଦ୍ରୁତ ଆରମ୍ଭ। ଉଭୟଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁଁ ମାତ୍ର ୫.୫ ଓଭର୍ରେ ଭାରତର ସ୍କୋର୍ ପହଞ୍ଚିଥିଲା ୯୩ ରନ୍ରେ।
କିନ୍ତୁ ଏହାପରେ ମ୍ୟାଚ୍ରେ ଆସିଥିଲା ଟ୍ୱିଷ୍ଟ। ନ୍ୟୁଜିଲାଣ୍ଡ ବୋଲର୍ମାନେ ଲଗାତାର ୱିକେଟ୍ ନେଇ ଭାରତ ଉପରେ ଚାପ ସୃଷ୍ଟି କରିଥିଲେ। ତିଳକ ବର୍ମା ଓ ଈଶାନ କିଶନ ଶୀଘ୍ର ଆଉଟ୍ ହେବା ପରେ ଭାରତୀୟ ଶିବିରରେ ବଢ଼ିଥିଲା ଚିନ୍ତା।ଏଭଳି ସ୍ଥିତିରେ ମଧ୍ୟକ୍ରମରେ ଦାୟିତ୍ୱ ସମ୍ଭାଳିଥିଲେ ଶ୍ରେୟସ ଆୟର ଓ ଅକ୍ଷର ପଟେଲ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୪୫ ରନ୍ ଯୋଡ଼ି ଦଳକୁ ମ୍ୟାଚ୍ରେ ରଖିଥିଲେ। ଅକ୍ଷର ୨୪ ରନ୍ କରି ଆଉଟ୍ ହେବା ପରେ ଶ୍ରେୟସ ଆୟର ଓ ନମନ ଧୀର ଦ୍ରୁତ ରନ୍ ସଂଗ୍ରହ କରିଥିଲେ।




