ବିଟେକ୍ ଛାତ୍ରଙ୍କୁ ଗିରଫ କରିଛି ପୋଲିସ | ଦଶହରା ଭିଡରେ ଲୁଟୁଥିଲେ ମୋବାଇଲ

ଦଶହରା ଭିଡରେ ମାତିଥିଲେ ଲୁଟେରା । ଭିଡର ସୁଯୋଗ ନେଇ କାହାର ମୋବାଇଲ ତ ଆଉ କାହା ବେକରୁ ଟାଣିନେଉଥିଲେ ଚେନ । ଖାସ କରି ପୂଜା ମଣ୍ଡପରେ ମୋବାଇଲ୍ ବହୁତ ଲୁଟ ହୋଇଛି । ଆଉ ଏହି ଘଟଣା ପରେ ଲୁଟେରାଙ୍କୁ ଖୋଜୁଥିଲା ପୋଲିସ । ଆଉ ଗିରଫ କରିବାରେ ବି ସଫଳ ହୋଇଛି । ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଲୁଟ୍ ଅଭିଯୋଗରେ ଦୁଇ ବିଟେକ୍ ଛାତ୍ରଙ୍କୁ ଗିରଫ କରିଛି ପୋଲିସ। ମୋବାଇଲ୍ ଓ ସ୍କୁଟି ଲୁଟ୍ କରିବା ୧୨ ଘଣ୍ଟା ମଧ୍ୟରେ ଧରାପଡ଼ିଲେ ଦୁଇ ଅଭିଯୁକ୍ତ। ସେମାନଙ୍କଠାରୁ ଲୁଟ୍ ସାମଗ୍ରୀ ସହ ବାଇକ୍ ଓ ଅନ୍ୟ ମୋବାଇଲ୍ ଜବତ ହୋଇଛି।
ସେପଟେ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ଭିଡ଼ର ସୁଯୋଗ ନେଇ ମୋବାଇଲ୍ ଚୋରି କରୁଥିବା ଅଭିଯୋଗରେ ୪ ମହିଳାଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କଠାରୁ ୫ଟି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ। କୃତ୍ରିମ ଭିଡ଼ ସୃଷ୍ଟି କରି ପକେଟ୍ ରୁ ମୋବାଇଲ୍ ଚୋରି କରୁଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରେ ସୂଚନା ମିଳିଛି। ତେବେ ପୂଜା ଭିଡ଼ରେ ସତର୍କ ରହିବାକୁ ପୋଲିସର ପରାମର୍ଶ ଦେବା ସହ ଉଭୟ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।




