ଇଣ୍ଡୋନେସିଆ ଫେରିଲା ରକି । ୫ ଓରାଙ୍ଗଉଟାନ ଫେରିଯିବେ କି ?

ଫେରିଯିବେ କି ୫ ଓରାଙ୍ଗଉଟାନ ? ନନ୍ଦନକାନନରେ ଥିବା ଏହି ୫ ଓରାଙ୍ଗଉଟାନଙ୍କୁ ନେଇ ବଢିଲା ଚର୍ଚ୍ଚା । କେତେବେଳେ ମାଆଙ୍କୁ ଝୁରୁଛନ୍ତି ତ ଆଉ କେତେବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଉଛି । କିନ୍ତୁ ଏବେ ସେ ସୁସ୍ଥ ଅଛନ୍ତି । ହେଲେ ସେମାନଙ୍କୁ ଏହି ଜଳବାୟୁ ସହିତ ଖାପଖୁଆଇବାକୁ ଚାଲିବାକୁ କଷ୍ଟ ଦେଉଛି । କେବଳ ଏହି ୫ ଓରାଙ୍ଗଉଟାନ ନୁହନ୍ତି, ୨୦୨୪ରେ ଗୁଜରାଟରୁ ଏକ ଓରାଙ୍ଗଉଟାନକୁ ଉଦ୍ଧାର କରାଯାଇଥିଲା । ହେଲେ ଏବେ ତାଙ୍କୁ ଇଣ୍ଡୋନେସିଆ ପଠାଯାଇଛି ।
ରକିର ପ୍ରତ୍ୟାବର୍ତ୍ତନ ସମୟରେ ମେଦାନସ୍ଥିତ ଭାରତୀୟ କନସୁଲେଟର ଅଧିକାରୀ ଏବଂ ଇଣ୍ଡୋନେସିଆ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ଭାରତୀୟ ଦୂତାବାସର ସୂଚନା ଅନୁସାରେ, ଏହି ସଫଳ ହସ୍ତାନ୍ତର ଉଭୟ ଦେଶର ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବିପଦଗ୍ରସ୍ତ ପ୍ରଜାତିର ଜୀବଙ୍କ ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ପ୍ରତିଫଳନ। ଅନ୍ୟପଟେ ଉଦ୍ଧାର ପରଠାରୁ ରକିର ଚିକିତ୍ସା ଏବଂ ଲାଳନପାଳ ଖର୍ଚ୍ଚକୁ ଛାଡ଼ କରିଦେଇଛି ଭାରତ।
ରକିର ପ୍ରତ୍ୟାବର୍ତ୍ତନ ପରେ ଏବେ ନନ୍ଦନକାନନରେ ଥିବା ୫ଟି ଓରାଙ୍ଗଉଟାନ ଛୁଆଙ୍କୁ ଚର୍ଚ୍ଚା ଆରମ୍ଭ ହୋଇଛି। ସେମାନଙ୍କ ମୂଳ ଉତ୍ପତ୍ତିଏବଂ ଡିଏନଏ ସମ୍ପର୍କରେ ଯାଞ୍ଚ କରିବାକୁ ନଭେମ୍ବରରେ ଇଣ୍ଡୋନେସିଆର ବନ୍ୟଜନ୍ତୁ ବିଶେଷଜ୍ଞମାନେ ଭାରତ ଆସିବେ ବୋଲି ସୂଚନା ମିଳିଛି । ଭୋଗରାଇରୁ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ୍ ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଛନ୍ତି। ସେମାନେ ସୁସ୍ଥ ରହିଥିବାବେଳେ ଡିଏନଏ ପରୀକ୍ଷା ହୋଇନଥିବାରୁ ସେମାନଙ୍କ ମୂଳ ଉତ୍ପତ୍ତି ଜଣାପଡ଼ିନି।




