ସେଲ୍ଫି ନିଶା ନେଲା ୪ ଜୀବନ

ଆଜିକାଲି ତ ଯୁବପିଢିଙ୍କୁ ଘାରିଛି ସୋସିଆଲ ମିଡ଼ିଆ ନିଶା । କେମିତି ସେଲ୍ଫି ନେବୁ , ଫଟୋ ଉଠାଇବୁ ଆଉ ସୋସିଆଲ ମିଡିଆରେ ଅପଲୋଡ କରିବୁ । ହେଲେ ଏବେ ସେହି ସେଲ୍ଫି ନିଶା ଚାରି ଚାରି ଜଣଙ୍କ ଜୀବନ ନେଇଯାଇଛି । ହଁ ଆଂଜ୍ଞା ହାଇୱେରେ ଗାଡ଼ି ଅଟକାଇ ଫଟୋ ଉଠାଉଥିବା ବେଳେ ମାଡ଼ି ଆସିଲା ଦ୍ରୁତଗାମୀ ଟ୍ରକ୍। ଆଖି ପିଛୁଳାକେ ଚାଲିଗଲା ୪ ଜଣଙ୍କ ଜୀବନ, ଆଉ ୩ ଜଣ ଗୁରୁତର। ଉତ୍ତରପ୍ରଦେଶର ବାରାଣସୀ ଜିଲ୍ଲା ମିର୍ଜାମୁରାଦ ଥାନା ଅଞ୍ଚଳର ରୂପାପୁର ନିକଟ ଜାତୀୟ ରାଜପଥ-୧୯ରେ ଘଟିଛି ଏହି ଛାତିଥରା ଦୁର୍ଘଟଣା।
ସୂଚନା ଅନୁସାରେ, ବିନ୍ଧ୍ୟାଚଳ ଧାମରେ ଦର୍ଶନ ସାରି ୭ ଜଣ ବନ୍ଧୁ ଏକ ସ୍କର୍ପିଓରେ ଫେରୁଥିଲେ। ସୋମବାର ଭୋର୍ ପ୍ରାୟ ୬ଟା ସମୟରେ ପ୍ରୟାଗରାଜ-ବାରାଣସୀ ହାଇୱେର ଏକ ଓଭରବ୍ରିଜ୍ ନିକଟରେ ସେମାନେ ଗାଡ଼ି ଅଟକାଇଥିଲେ। ରେଲିଂ ପାଖରେ ଠିଆ ହୋଇ ସେଲ୍ଫି ନେଉଥିବା ବେଳେ ପଛପଟୁ ଦ୍ରୁତଗତିରେ ଆସିଥିବା ଏକ ଟ୍ରକ୍ ସ୍କର୍ପିଓ ସହ ସେଠାରେ ଥିବା ଲୋକଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓର ପଛ ଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଦୁଇ ଜଣ ପ୍ରାୟ ୩୦ ଫୁଟ୍ ଉଚ୍ଚ ଓଭରବ୍ରିଜ୍ରୁ ତଳକୁ ଖସିପଡ଼ିଥିଲେ। ଖବର ପାଇ ପୋଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ୍ ନିଆଯାଇଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।




