
ଉଚ୍ଚଶିକ୍ଷା କ୍ଷେତ୍ରରେ କାହାର ଅବଦାନ କେତେ? ଏହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା। ଓଡ଼ିଶାରେ ୨୦୦୦ରୁ ୨୦୨୪ ମଧ୍ୟରେ ବିଜେଡି ସରକାର ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଥିବା ଦାବି କରିଛି ଦଳ।ବିଜେଡିର ଗଣମାଧ୍ୟମ ସଂଯୋଜକ ଡକ୍ଟର ଲେନିନ ମହାନ୍ତିଙ୍କ କହିବା ଅନୁଯାୟୀ, ୨୦୦୦ ମସିହାରେ ରାଜ୍ୟରେ ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ୩ ଲକ୍ଷ ୨୦ ହଜାର ଥିବାବେଳେ ୨୦୨୩ରେ ଏହା ୬ ଲକ୍ଷ ୫୦ ହଜାରରେ ପହଞ୍ଚିଥିଲା। ଏଥିରେ ୩ ଲକ୍ଷ ୮୦ ହଜାର ଛାତ୍ରୀ ଥିବା ସେ ଦାବି କରିଛନ୍ତି।
ସେହିପରି ମହାବିଦ୍ୟାଳୟ ସଂଖ୍ୟା ୫୪୮ରୁ ୧୦୨୪କୁ, ବିଶ୍ୱବିଦ୍ୟାଳୟ ସଂଖ୍ୟା ୮ରୁ ୪୨କୁ ଏବଂ ମେଡିକାଲ କଲେଜ ସଂଖ୍ୟା ୩ରୁ ୧୫କୁ ବୃଦ୍ଧି ପାଇଥିବା ବିଜେଡି ପକ୍ଷରୁ କୁହାଯାଇଛି।ଏଥିସହ ଉଚ୍ଚଶିକ୍ଷା ବିଭାଗର ବଜେଟ୍ ଓ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଥିବା ଦଳ ଦାବି କରିଛି।ବିଜେଡି ସରକାର ଅମଳରେ ରେଭେନ୍ସା ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭରସିଟି, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଓ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ବିକାଶ ହୋଇଥିବା ଦଳ କହିଛି।
ସେହିପରି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା, କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଓ ନୂଆ-ଓ ଛାତ୍ରବୃତ୍ତି ଭଳି ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସହାୟତା ଦିଆଯାଇଥିବା ଦାବି କରିଛି ବିଜେଡି।ବିଜୁ ଯୁବ ସଶକ୍ତିକରଣ ଯୋଜନା ଅଧୀନରେ ମାଗଣା ଲାପଟପ୍ ବଣ୍ଟନ ଏବଂ ମାଗଣା ୱାଇ-ଫାଇ ସୁବିଧା ଭଳି ପଦକ୍ଷେପ ମଧ୍ୟ ନିଆଯାଇଥିବା ପ୍ରେସ୍ ବିବୃତିରେ ଉଲ୍ଲେଖ ରହିଛି।ଏହି ପ୍ରେସ୍ ବିବୃତିରେ ବର୍ତ୍ତମାନର ବିଜେପି ସରକାରକୁ ମଧ୍ୟ ନିଶାନା କରିଛି ବିଜେଡି। ନୂଆ-ଓ ଛାତ୍ରବୃତ୍ତି ଯୋଜନାକୁ ବନ୍ଦ କରିଦିଆଯାଇଥିବା ଦଳ ଅଭିଯୋଗ କରିଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଶିକ୍ଷା ସହାୟତା ଉପରେ ପ୍ରଭାବ ପଡ଼ିବା ନେଇ ପ୍ରଶ୍ନ ଉଠାଇଛି ଦଳ।ଅନ୍ୟପଟେ, ଚଏସ୍ ବେସ୍ଡ କ୍ରେଡିଟ୍ ସିଷ୍ଟମ୍, ଓଡ଼ିଶା ଉଚ୍ଚଶିକ୍ଷା ଏକ୍ସିଲେନ୍ସ ପ୍ରୋଗ୍ରାମ୍, ଗବେଷଣା ଓ ନବସୃଜନ ଯୋଜନା, ଅଧ୍ୟାପକ ନିଯୁକ୍ତି ଏବଂ ‘ମୋ କଲେଜ ଅଭିଯାନ’ ଭଳି ପଦକ୍ଷେପ ମାଧ୍ୟମରେ ଶିକ୍ଷାର ମାନ ବୃଦ୍ଧି ପାଇଁ ଉଦ୍ୟମ ହୋଇଥିବା ବିଜେଡି କହିଛି।




