ଓଡ଼ିଶାକ୍ରୀଡ଼ା

ଓଡ଼ିଶା ହକିକୁ ଅବହେଳା! ହକି ଇଣ୍ଡିଆର ନୋଟିସ୍‌କୁ ନେଇ ବିଜେପିକୁ ଘେରିଲା ବିଜେଡି

ଓଡ଼ିଶା ଆଉ ହକି, ଦୁଇଟି ଯେମିତି ପରସ୍ପରର ପରିପୂରକ। ହକି ବିଶ୍ୱକପ୍ ଆୟୋଜନଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରର ଷ୍ଟାଡିୟମ୍ ନିର୍ମାଣ, ଖେଳାଳିଙ୍କୁ ପ୍ରୋତ୍ସାହନ ଏବଂ ହକିର ପ୍ରଚାର ପ୍ରସାର ପୂର୍ବତନ ନବୀନ ସରକାରଙ୍କ ସମୟରେ ଓଡ଼ିଶା ହକିକୁ ମିଳିଥିଲା ନୂଆ ପରିଚୟ।ଭୁବନେଶ୍ୱର ସହ ରାଉରକେଲାକୁ ହକିର ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ ରାଜ୍ୟର ଭୂମିକା ରହିଥିଲା। ରାଉରକେଲାରେ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ମଧ୍ୟ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ନୂଆ ପରିଚୟ ଦେଇଥିଲା।

କିନ୍ତୁ ଏବେ ଓଡ଼ିଶା ହକି ସଂଘକୁ ନେଇ ଉଠିଥିବା ପ୍ରଶ୍ନକୁ ଆଧାର କରି ବିଜେପି ସରକାରକୁ ଘେରିଛି ବିଜେଡି। ଦଳର ଅଭିଯୋଗ, ହକି ପ୍ରତି ସରକାରଙ୍କ ଉଦାସୀନତା ଯୋଗୁଁ ରାଜ୍ୟର କ୍ରୀଡ଼ା ଗୌରବ ପ୍ରଭାବିତ ହେଉଛି।ଅକ୍ଟୋବର ୬ ତାରିଖରେ ହକି ଇଣ୍ଡିଆର ସାଧାରଣ ପରିଷଦ ବୈଠକ ପରେ ହକି ଆସୋସିଏସନ୍ ଅଫ୍ ଓଡ଼ିଶାକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା ନେଇ ବିଜେଡି ପକ୍ଷରୁ କୁହାଯାଇଛି।

ଏହି ନୋଟିସ୍‌ରେ ସଂଘର ସଦସ୍ୟତା ଓ ନିୟମାବଳୀ ପାଳନ ସମ୍ପର୍କରେ ପ୍ରଶ୍ନ ଉଠିଥିବା ଦଳ ଦାବି କରିଛି। ଏପରିକି ଓଡ଼ିଶା ହକିର ସ୍ଥାୟୀ ସଦସ୍ୟତାକୁ ସହଯୋଗୀ ସଦସ୍ୟତାକୁ ପରିବର୍ତ୍ତନ କରିବା ପ୍ରସଙ୍ଗକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛି ବିଜେଡି।ତେବେ ଏଠାରେ ପ୍ରଶ୍ନ ଉଠୁଛି, ଓଡ଼ିଶା ହକି ସଂଘର ପ୍ରଶାସନିକ ଓ ନିୟମାବଳୀ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଉଛନ୍ତି? ହକିର ଗୌରବ ବଜାୟ ରଖିବା ପାଇଁ ସରକାରଙ୍କ ଆଗାମୀ ରଣନୀତି କ’ଣ ରହିବ? ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦାବି କରିଛି ବିଜେଡି।

ବିଜେଡି ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି ମଧ୍ୟ ସରକାରଙ୍କୁ ଘେରିଛନ୍ତି। ତାଙ୍କ ଅଭିଯୋଗ, ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାର କଥା କହୁଥିବା ବିଜେପି ସରକାର ଏବେ ରାଜ୍ୟର କ୍ରୀଡ଼ା ଗୌରବକୁ ସୁରକ୍ଷା ଦେବାରେ ବିଫଳ ହୋଇଛି।ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାର ହକି ପରମ୍ପରାକୁ ନେଇ ଚିନ୍ତା ପ୍ରକାଶ କରିଛି ବିଜେଡି। ଏହି ଜିଲ୍ଲାରୁ ଅନେକ ପ୍ରତିଭାବାନ ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ତେଣୁ ହକିର ବିକାଶ, ଖେଳାଳିଙ୍କୁ ସୁବିଧା ଓ ସଂଘର ସୁପରିଚାଳନା ପାଇଁ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଦଳ କହିଛି।ଏବେ ଏହି ପ୍ରସଙ୍ଗ କେବଳ କ୍ରୀଡ଼ା ମଧ୍ୟରେ ସୀମିତ ନାହିଁ। ଓଡ଼ିଶାର ପରିଚୟ, ଗୌରବ ଓ ଅସ୍ମିତାକୁ ନେଇ ରାଜନୈତିକ ବିତର୍କ ଆରମ୍ଭ ହୋଇଛି।

Related Articles

Back to top button