CJPର ଆନ୍ଦୋଳନ, ୧୭୦ରୁ ଅଧିକ ଟ୍ରେନ୍ ବାତିଲ

ଦିଲ୍ଲୀରେ CJPର ପ୍ରତିବାଦକୁ ନେଇ କଡ଼ା ସୁରକ୍ଷା କରାଯାଇଛି। ପୋଲିସ ଛାଉଣୀ କରାଯାଇଛି । ଶନିବାର ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଚାଲିବାକୁ ଥିବା ଅନେକ ଟ୍ରେନ୍ ବାତିଲ ହୋଇଛି । ଏକ ରିପୋର୍ଟ ଅନୁସାରେ, ଦିନକ ପାଇଁ ୧୭୦ରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି ।
ଟ୍ରେନ୍ ବାତିଲ ସହ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରହିବାରୁ ଯାତ୍ରୀମାନେ ଟ୍ରେନ୍ ସମୟ ବିଷୟରେ ସୂଚନା ପାଇବା ଓ UPI ମାଧ୍ୟମରେ ଟଙ୍କା ଦେବାରେ ଅସୁବିଧା ଭୋଗିଛନ୍ତି। ନୂଆଦିଲ୍ଲୀ ଷ୍ଟେସନରେ ଜଣେ ଯାତ୍ରୀ ପର୍ସ ଆଣିବାକୁ ଭୁଲିଯିବା ପରେ ମୋବାଇଲ୍ ଇଣ୍ଟରନେଟ୍ ନଥିବାରୁ ପାନୀୟ ପାଇଁ ଟଙ୍କା ଦେବାରେ ହଇରାଣ ହୋଇଥିଲେ।
ପ୍ରତିବାଦ ଯୋଗୁଁ ରାସ୍ତାରେ ଭିଡ଼ ଓ ଯାତାୟାତ ବାଧାପ୍ରାପ୍ତ ହେବା ଆଶଙ୍କାରେ ରେଳ ମନ୍ତ୍ରଣାଳୟ ଟ୍ରେନ୍ ବାତିଲ ନିଷ୍ପତ୍ତି ନେଇଥିବା ରିପୋର୍ଟରେ କୁହାଯାଇଛି। ସେପଟେ, ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରିବା ସହ ୫୦୦ରୁ ଅଧିକ ପ୍ରତିବାଦକାରୀଙ୍କୁ ଅଟକ ରଖିଥିବା ଖବର ମିଳିଛି। ରାଜନୈତିକ ପ୍ରତିବାଦର ପ୍ରଭାବ ଏବେ ସାଧାରଣ ଯାତ୍ରୀଙ୍କ ଯାତ୍ରା ଓ ଦୈନନ୍ଦିନ କାମ ଉପରେ ପଡ଼ିଛି।




