ହିନ୍ଦୁ ମନ୍ଦିର ଭାଙ୍ଗିଦେଲେ ଦୁର୍ବୃତ୍ତ

ଭାଙ୍ଗିଦେଲେ ହିନ୍ଦୁ ମନ୍ଦିର | ଇଟା ପଥର ମାଡ଼ କରି ହିନ୍ଦୁ ମନ୍ଦିରକୁ ଛାରଖାର କରିଦେଲେ | ଆମେରିକାର ରିଚମଣ୍ଡ ହାଇଟ୍ସ ଅଞ୍ଚଳରେ ରହିଥିବା ‘ଶ୍ରୀ ସ୍ୱାମୀନାରାୟଣ ବଡ଼ତାଳ ଧାମ ମନ୍ଦିର’ ଉପରେ ଏହି ଆକ୍ରମଣ ହୋଇଛି । କିଛି ଦୁର୍ବୃତ୍ତ ମନ୍ଦିରକୁ ଟାର୍ଗେଟ୍ କରି ଅତର୍କିତ ଭାବେ ଇଟା ଓ ପଥର ମାଡ଼ କରିଥିଲେ। ଏ ନେଇ ପ୍ରବାସୀ ହିନ୍ଦୁ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | ଆକ୍ରମଣ ସମୟରେ ମନ୍ଦିର ପରିସର ଭିତରେ ପୂଜାରୀ ଏବଂ କିଛି ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
ଭୟର ଏକ ବାତାବରଣ ସୃଷ୍ଟି ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ କୌଣସି ବଡ଼ଧରଣର ଅଘଟଣ ଘଟିନାହିଁ। କିନ୍ତୁ ଇଟା ମାଡ଼ରେ ମନ୍ଦିରର ଝରକା କାଚ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୂନା ହୋଇଯାଇଛି। ଘଟଣା ପରେ ‘ହିନ୍ଦୁ ଆମେରିକାନ ଫାଉଣ୍ଡେସନ୍’ ଏହାକୁ ଏକ ସମ୍ଭାବ୍ୟ ‘ହେଟ୍ କ୍ରାଇମ୍’ ବା ଘୃଣାଜନକ ଅପରାଧ ବୋଲି କହିଛି। ମନ୍ଦିର ବାହାରେ ଲାଗିଥିବା ସିସିଟିଭ କ୍ୟାମେରାରେ ସମସ୍ତ ଘଟଣା କଏଦ ହୋଇଛି। ସଂଗଠନ ପକ୍ଷରୁ ଏହି ସିସିଟିଭ ଫୁଟେଜ୍ ସ୍ଥାନୀୟ ପ୍ରଶାସନ, ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ଏବଂ ସିଭିଲ୍ ରାଇଟ୍ସ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି।




