
ସଂଶୋଧିତ MMDR ଆଇନକୁ ନେଇ ଓଡ଼ିଶାରେ ରାଜନୈତିକ ତାତି ବଢ଼ିଛି। ଏହି ଆଇନ ଉପରେ ବିଧାନସଭାରେ ଆଲୋଚନା ପାଇଁ ଦାବି କରିଥିଲେ ବିଜୁ ଜନତା ଦଳ। କିନ୍ତୁ ଆଲୋଚନା ପାଇଁ ସୁଯୋଗ ନଦେଇ ବିଧାନସଭାକୁ ଧାର୍ଯ୍ୟ ସମୟର ଚାରି ଦିନ ପୂର୍ବରୁ ବନ୍ଦ କରାଯାଇଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିଜେଡି।ଭୁବନେଶ୍ୱର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତାମାନେ ସଂଶୋଧିତ MMDR ଆଇନକୁ ନେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ବିଜେଡିର କହିବା ଅନୁସାରେ, ସଂଶୋଧିତ MMDR ଆଇନ ଓଡ଼ିଶାର ଖଣି ରାଜସ୍ୱ ଉପରେ ପ୍ରଭାବ ପକାଇବ। , ଖଣିରୁ ଟିକସ ଆକାରରେ ଆଦାୟ ହେବାକୁ ଥିବା ବକେୟା ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ଏବଂ ବାର୍ଷିକ ଖଣି ରାଜସ୍ୱରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ପ୍ରଭାବ ପଡ଼ିପାରେ। ଏହି ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ପାଇଁ ବିଜେଡି ପକ୍ଷରୁ ମୋସନ ଦିଆଯାଇଥିଲା | ଏପରିକି ସରକାର ଯଦି ସଂଶୋଧିତ ଆଇନକୁ ରାଜ୍ୟ ପାଇଁ ଲାଭଦାୟକ ବୋଲି ମନେ କରୁଛନ୍ତି, ତେବେ ଏହାର ସମର୍ଥନରେ ଧନ୍ୟବାଦ ପ୍ରସ୍ତାବ ଆଣି ଆଲୋଚନା କରନ୍ତୁ ବୋଲି ବିଜେଡି ଆହ୍ୱାନ ଦେଇଥିଲା | କିନ୍ତୁ ଏହି ପ୍ରସ୍ତାବ ଉପରେ ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ ପାଇନଥିଲା।
ଏ ନେଇ ସୋମବାର ଲୋୟର ପିଏମଜିରେ ସଂଶୋଧିତ MMDR ଆଇନ ପ୍ରତ୍ୟାହାର ଦାବିରେ ବିଜେଡି ପକ୍ଷରୁ ଗଣବିକ୍ଷୋଭ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବିପୁଳ ଜନସମର୍ଥନ ମିଳିଥିବା ବିଜେଡି ଦାବି କରିଛି। ଏହା ପରେ ସରକାର ବିଧାନସଭାକୁ ଧାର୍ଯ୍ୟ ସମୟର ଚାରି ଦିନ ପୂର୍ବରୁ ବନ୍ଦ କରିଦେଇଥିବା ଅଭିଯୋଗ ଆଣିଛି ଦଳ।ବିଜେଡି ନେତାମାନେ କହିଛନ୍ତି, ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆଇନ ଉପରେ ବିଧାନସଭାରେ ବିସ୍ତୃତ ଆଲୋଚନା ହୋଇପାରିନଥିବା ଦୁର୍ଭାଗ୍ୟଜନକ।ବିଧାନସଭାରେ ଆଲୋଚନା କରିବାକୁ ଦିଆଯାଇନଥିଲେ ମଧ୍ୟ, ଏହି ପ୍ରସଙ୍ଗରେ ବିଜୁ ଜନତା ଦଳ ଚୁପ୍ ବସିବ ନାହିଁ। ଓଡ଼ିଶାର ସ୍ୱାର୍ଥ ପାଇଁ ଦଳ ଏହି ପ୍ରସଙ୍ଗକୁ ଆଗକୁ ନେବ।”
ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ପୂର୍ବତନ ମନ୍ତ୍ରୀ ତଥା PAC ସଦସ୍ୟା ଟୁକୁନି ସାହୁ, ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି, ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ କୁମାର ସାହୁ ଏବଂ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।




