
ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ, ଅର୍ଥାତ୍ SIRକୁ ନେଇ ରାଜନୈତିକ ତର୍କ ତୀବ୍ର ହୋଇଛି। ବିଜେଡି ଓ କଂଗ୍ରେସର ଆପତ୍ତିକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ। ସେ କହିଛନ୍ତି SIR ପ୍ରକ୍ରିୟା ନିର୍ବାଚନ କମିଶନଙ୍କ ତତ୍ତ୍ୱାବଧାନରେ ଚାଲିଥାଏ ଏବଂ ଓଡ଼ିଶାରେ ମଧ୍ୟ ଏହି ପ୍ରକ୍ରିୟା ଦୀର୍ଘ ସମୟ ଧରି ଚାଲିଛି। ତାଙ୍କ ଅନୁସାରେ, ପ୍ରକ୍ରିୟା ସମୟରେ ରାଜନୈତିକ ଦଳଗୁଡ଼ିକ BLA-1 ଓ BLA-2 ନିଯୁକ୍ତ କରିବାର ବ୍ୟବସ୍ଥା ରହିଛି। ଭୋଟର ତାଲିକା ସଂଶୋଧନ ସମୟରେ ସେମାନଙ୍କର ମଧ୍ୟ ଭୂମିକା ରହିଥାଏ ବୋଲି ସେ କହିଛନ୍ତି।
ଯଦି SIR ପ୍ରକ୍ରିୟା ସମୟରେ କୌଣସି ଅନିୟମିତତା ହୋଇଥିଲା, ତେବେ ସେ ସମୟରେ ଅଭିଯୋଗ କରାଯିବା ଦରକାର ଥିଲା। ଏବେ ଯଦି କୌଣସି ତଥ୍ୟ ଅଛି, ତେବେ ତଥ୍ୟ ସହ ନିର୍ବାଚନ କମିଶନ କିମ୍ବା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟକୁ ଯାଆନ୍ତୁ। ଓଡ଼ିଶାରେ SIR ପ୍ରକ୍ରିୟା ସମୟରେ ଭୋଟର ତାଲିକାରେ କେତେ ନାମ ଯୋଡ଼ାଗଲା, କେତେ ନାମ ବାଦ ପଡ଼ିଲା ଏବଂ କେଉଁ କାରଣରୁ ନାମ ବାଦ ପଡ଼ିଲା—ଏସବୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ତଥ୍ୟ ସାମ୍ନାକୁ ଆସିଛି।
ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ପଡ଼ିଥିଲେ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ପୁଣି ନାମ ଯୋଡ଼ାଯାଇପାରିବ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି। SIRକୁ ନେଇ ବିଜେଡି ଓ କଂଗ୍ରେସର ଆପତ୍ତି ଏବଂ ତାହାର ଜବାବରେ ବିରଂଚି ନାରାୟଣ ତ୍ରିପାଠୀଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି। ଭୋଟର ତାଲିକାରେ ଯୋଗ୍ୟ ନାଗରିକଙ୍କ ନାମ, ନାମ ବାଦ ପଡ଼ିବାର କାରଣ ଏବଂ ସଂଶୋଧନ ପ୍ରକ୍ରିୟାକୁ ନେଇ ଆଗକୁ କେଉଁ ତଥ୍ୟ ଓ ପ୍ରମାଣ ସାମ୍ନାକୁ ଆସୁଛି, ତାହା ଉପରେ ଏବେ ନଜର।




