୨୮ ତାରିଖରେ ଗଣ ବିକ୍ଷୋଭ କରିବ ବିଜେଡି । ଯୋଗ ଦେବେ ନବୀନ ପଟ୍ଟନାୟକ

ଏମଏମଡିଆର ସଂଶୋଧନ ଆଇନ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହେବା ପରେ, ଏହାକୁ ତୀବ୍ର ବିରୋଧ କରୁଛି ବିଜୁ ଜନତା ଦଳ | ଖଣି ଓ ଖଣି ଥିବା ଜମି ଉପରେ ଥିବା ରାଜ୍ୟ ମାନଙ୍କ ଅଧିକାରକୁ ଏମଏମଡିଆର ସଂଶୋଧନ ଆଇନ ମାଧ୍ୟମରେ କେନ୍ଦ୍ର ସରକାର ଛଡାଇ ନେଇଛନ୍ତି, ଯାହା ଦେଶର ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ । ଦେଶର ଗଚ୍ଛିତ ଥିବା ସମୁଦାୟ ଖଣିଜ ସମ୍ପଦ ମଧ୍ୟରୁ କେବଳ ଓଡ଼ିଶାରେ ଏହାର ୪୪ ପ୍ରତିଶତ ଖଣିଜ ସମ୍ପଦ ରହିଥିବାରୁ, ଏହି ସଂଶୋଧିତ ଆଇନ ଯୋଗୁ ଓଡିଶା ସର୍ବାଧିକ କ୍ଷତି ସହିତ ।
ଖଣି ଓ ଖଣି ଥିବା ଜମି ଉପରେ ରାଜ୍ୟ ସରକାର ଟିକସ ଓ ଲେଭି ଲଗାଇ ପାରିବେ ବୋଲି ୨୦୦୪ରେ ନବୀନ ପଟ୍ଟନାୟକ ଏକ ଆଇନ ଆଣିଥିଲେ । ଏହି ଆଇନକୁ କିଛି ଖଣି କମ୍ପାନୀ ଅଦାଲତରେ ଚ୍ୟାଲେଞ୍ଜ କରାଯିବା ଦ୍ୱାରା, ଦୀର୍ଘ ଦିନ ଧରି ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରଧୀନ ରହିଥିଲା । ୨୫ ଜୁଲାଇ ୨୦୨୪ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ୯ ଜଣିଆ ଖଣ୍ଡପୀଠ, ଖଣି ଓ ଖଣି ଉପରେ ରାଜ୍ୟ ସରକାର ମାନେ ଟିକସ ଓ ଲେଭି ଲଗାଇ ପାରିବେ ବୋଲି ଆଦେଶ ଦେଇଥିଲେ । ଏହାଦ୍ୱାରା, ଓଡିଶା ବକେୟା ବାବଦକୁ ୧ ଲକ୍ଷ କୋଟି ଟଙ୍କା ଓ ଖଣିରୁ ବାର୍ଷିକ ରାଜସ୍ୱ ବାବଦକୁ ୧୨, ୦୦୦ କୋଟି ଟଙ୍କାର ରାଜସ୍ୱ ପାଇବାର ସୁଯୋଗ ସୃଷ୍ଟି ହେଲା । କିନ୍ତୁ, କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଏମଏମଡିଆର ସଂଶୋଧନ ଆଇନ ଯୋଗୁ ଏହି ସୁଯୋଗ ହାତଛଡା ହୋଇଗଲା । ଆଉ ଏହି ଆଇନ ସିଧାସଳଖ ଓଡିଶାକୁ ବିପୁଳ କ୍ଷତି ପହଞ୍ଚାଉ ଥିବା ବେଳେ ସଂସଦର ଲୋକସଭାରେ ଥିବା ବିଜେପିର ୨୦ ସାଂସଦ ଓ ରାଜ୍ୟସଭାରେ ଥିବା ୫ ସାଂସଦ ନିରବ ସମର୍ଥନ ଦେଇଥିଲେ । ବିଜେଡି ଏହାକୁ ବିଧାନସଭା ଭିତରେ ଜୋରଦାର ବିରୋଧ କରିଛି ।
ଆଉ ଆସନ୍ତା ସେପ୍ଟେମ୍ୱର ୨୮ ତାରିଖରେ, ବିଜୁ ଜନତା ଦଳ ତରଫରୁ ଲୋୟର ପିଏମଜିରେ ଏକ ବିଶାଳ ଗଣ ବିକ୍ଷୋଭ ସଭା କାର୍ଯ୍ୟକ୍ରମ ଆୟୋଜିତ ହେବ ଓ ଏଥିରେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି । ଶଙ୍ଖ ଭବନରେ ଗୁରୁବାର ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଉପସଭାପତି ଶ୍ରୀ ପ୍ରତାପ ଜେନା, ବିଧାୟଜ ଡ. ଅରୁଣ କୁମାର ସାହୁ, ପୂର୍ବତନ ମନ୍ତ୍ରୀ ତଥା ପିଏସି ସଦସ୍ୟ ଶ୍ରୀ ସୁଦାମ ମାରାଣ୍ଡି ଓ ବରିଷ୍ଠ ସାଧାରଣ ସମ୍ପାଦକ ପ୍ରୀତି ରଞ୍ଜନ ଘଡ଼ାଇ ଏମଏମଡିଆର ସଂଶୋଧନ ଆଇନ ଏକ କଳା ଆଇନ ବୋଲି କହିବା ସହିତ ଏହାର ପ୍ରତ୍ୟାହାର ଦାବିରେ ବିଜେଡି ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ବୋଲି ସୂଚନା ଦେଇଥିଲେ ।




