ଲିଫ୍ଟରେ ଫସିଗଲେ ବ୍ୟକ୍ତି! ୯୦ ମିନିଟ୍ ର ସଂଘର୍ଷ

ଏବେ ଆଉ ଲୋକେ ସିଡ଼ି ଚଢ଼ିବାକୁ ପସନ୍ଦ କରୁନାହାନ୍ତି । ଲିଫ୍ଟରେ ଯାଇ ସୁରୁଖୁରୁରେ ପହଞ୍ଚିଯିବେ | ହେଲେ ଲିଫ୍ଟ କେତେ ଭୟଙ୍କର ଏହି ଘଟଣାରୁ ଜାଣିପାରିବେ | ଜଣେ ବ୍ୟକ୍ତି ଲିଫ୍ଟରୁ ବାହାରୁଥିଲେ… ହଠାତ୍ ଉପରକୁ ଚାଲିଗଲା ଲିଫ୍ଟ। ଆଖି ପିଛୁଳାକେ ଘଟିଗଲା ଭୟଙ୍କର ଦୁର୍ଘଟଣା। ଲିଫ୍ଟ ଓ କାନ୍ଥ ମଝିରେ ଫସିଗଲେ ଜଣେ ବ୍ୟକ୍ତି।ଘଟଣା ଘଟିଛି ହାଇଦ୍ରାବାଦ ମୁସାପେଟ୍ ର ଅଞ୍ଜନେୟ ନଗରରେ।
୪୦ ବର୍ଷୀୟ ମୁରଲୀ ପତ୍ନୀଙ୍କ ସହ ଗ୍ରାଉଣ୍ଡ ଫ୍ଲୋରରୁ ଯାଇଥିଲେ ଦ୍ୱିତୀୟ ମହଲାକୁ। ଦ୍ୱିତୀୟ ମହଲାରେ ଲିଫ୍ଟରୁ ବାହାରୁଥିବା ସମୟରେ ହଠାତ୍ ଲିଫ୍ଟ ତୃତୀୟ ମହଲା ଆଡ଼କୁ ଚାଲିଯାଇଥିଲା ସେତେବେଳେ ମୁରଲୀଙ୍କ ଗୋଟିଏ ଗୋଡ଼ ଲିଫ୍ଟ ଭିତରେ ଥିବାବେଳେ ଅନ୍ୟଟି ଦ୍ୱିତୀୟ ମହଲାରେ ଥିଲା।ଲିଫ୍ଟ ଚାଲିଯିବାରୁ ସେ ଲିଫ୍ଟ ଓ କାନ୍ଥ ମଝିରେ ଫସିଯାଇଥିଲେ। ପତ୍ନୀଙ୍କ ଚିତ୍କାର ଶୁଣି ଆପାର୍ଟମେଣ୍ଟର ଲୋକେ ଦୌଡ଼ି ଆସିଥିଲେ। ହେଲେ ତାଙ୍କୁ ବାହାର କରିବା ସମ୍ଭବ ହୋଇନଥିଲା। ଖବର ପାଇ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଫାୟାର୍ କର୍ମଚାରୀଙ୍କ ସହାୟତାରେ ହାଇଡ୍ରୋଲିକ୍ କଟର୍ ରେ ଲିଫ୍ଟର ଷ୍ଟ୍ରକ୍ଚର୍ କୁ କାଟି ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ।
ପ୍ରାୟ ୯୦ ମିନିଟ୍ ର ଉଦ୍ୟମ ପରେ ମୁରଲୀଙ୍କୁ ବାହାର କରାଯାଇଥିଲା। ପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍ କୁ ନିଆଯାଇଥିଲା। ଏହି ଅଘଟଣରେ ତାଙ୍କ ଗୋଡ଼ରେ ଫ୍ରାକ୍ଚର୍ ହୋଇଥିବା ଜଣାପଡ଼ିଛି। ମାତ୍ର କିଛି ସେକେଣ୍ଡର ଘଟଣା ଆଉ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଲା ଜୀବନ ବଞ୍ଚାଇବାର ଲଢ଼େଇ। ଅଘଟଣ ପରେ ଏବେ ଲିଫ୍ଟ ସୁରକ୍ଷା ନେଇ ବଡ଼ ପ୍ରଶ୍ନ ଉଠିଛି ।




