Uncategorized

ପୁରୀରେ ବିଦ୍ୟୁତ କର୍ମଚାରୀଙ୍କ ମହାଆନ୍ଦୋଳନ: ଅଗଷ୍ଟ ମାସରୁ କଟିଲା ୫୦% ଦରମା, ରାଲି କରି ଘେରାଉ କଲେ ଟିପିସିଓଡିଏଲ ଅଫିସ

ଭୁବନେଶ୍ବର: ପୁରୀ ଟିପିସିଓଡିଏଲ ବିଦ୍ୟୁତ ବିଭାଗରେ ସୁଜନିକ୍ସ କମ୍ପାନୀ ଜରିଆରେ ମିଟର ରିଡିଂ ଓ ବିଲ୍ ଆଦାୟ କାର୍ଯ୍ୟରେ ନିୟୋଜିତ ଶତାଧିକ କର୍ମଚାରୀଙ୍କ ଦରମା ପ୍ରତିମାସ ବେଆଇନ ଭାବେ କଟାଯାଉଥିବା ଅଭିଯୋଗ ହୋଇଛି। ଏନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ପରେ ଆଲୋଚନା ଜାରି ରହିଥିବା ବେଳେ ପୁନର୍ବାର ଅଗଷ୍ଟ ମାସର ଦରମାରୁ ୫୦ ପ୍ରତିଶତ କଟାଯାଇଥିବା ଅଭିଯୋଗ ହୋଇଛି। କର୍ମଚାରୀମାନଙ୍କ ଅଭିଯୋଗ ଅନୁସାରେ, ଏପରି ଦରମା କାଟ ଶ୍ରମ ଆଇନ ବିରୋଧୀ ବୋଲି ଶ୍ରମ ବିଭାଗ ପକ୍ଷରୁ କୁହାଯାଇଥିଲା ଏବଂ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏହା ସତ୍ତ୍ୱେ ଅଗଷ୍ଟ ମାସର ଦରମାରୁ ୫୦ ପ୍ରତିଶତ କଟାଯାଇଥିବା ସେମାନେ କହିଛନ୍ତି। ଏନେଇ ଜଣାଇବା ପରେ କଟାଯାଇଥିବା ଅର୍ଥ ଭୁଲବଶତଃ କଟିଯାଇଛି, ତାହା ପରିଶୋଧ କରାଯିବ ବୋଲି କୁହାଯାଇଥିଲେ ମଧ୍ୟ ଏଯାଏ ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି।
ଏହାର ପ୍ରତିବାଦରେ ପୁରୀ ବିଦ୍ୟୁତ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆବାହକ ତଥା ଶ୍ରମିକ ନେତା ଓ ଆଇନଜୀବୀ ଶ୍ରୀକାନ୍ତ ପରିଜାଙ୍କ ନେତୃତ୍ୱରେ ଶତାଧିକ ମିଟର ରିଡର ଓ ବିଲ୍ କଲେକ୍ଟର ଗୁଣ୍ଡିଚା ମନ୍ଦିର ନିକଟରୁ ଏକ ରାଲିରେ ବାହାରି ଟିପିସିଓଡିଏଲ ପୁରୀ ବି ଦ୍ୟୁତ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏଥିରେ ମିଳିତ ମଞ୍ଚର ସାଧାରଣ ସମ୍ପାଦକ ନୃସିଂହ ଚରଣ ଦାସ, ମନୋଜ କୁମାର ରାଉତରାୟ ଓ ବିମଳ ନାୟକଙ୍କ ସମେତ ବହୁ କର୍ମଚାରୀ ଯୋଗ ଦେଇଥିଲେ। ଘେରାଉ କାର୍ଯ୍ୟକ୍ରମରେ ଆମ୍ ଆଦମୀ ପାର୍ଟିର ପୁରୀ ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି ଯୋଗଦେଇ କର୍ମଚାରୀମାନଙ୍କୁ ସମର୍ଥନ ଜଣାଇବା ସହ ଦରମା କାଟ ଅଭିଯୋଗକୁ ନିନ୍ଦା କରିଥିଲେ। ଏହି ସମସ୍ୟାର ସମାଧାନ ପାଇଁ ତାଙ୍କ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମକୁ ସୂର୍ଯ୍ୟନାରାୟଣ ଦାଶ, ଲୋକନାଥ ଗଡ଼ନାୟକ, ଶରତ ଚନ୍ଦ୍ର ଦାଶ, ପୁରୁଷୋତ୍ତମ ମିଶ୍ର, ଶାନ୍ତନୁ ମିଶ୍ର, ଗୋପାଳ ସ୍ୱାଇଁ, ନିରଞ୍ଜନ ବେହେରା, ମଧୁସୂଦନ ଆଚାରୀ, ବଦ୍ରି ମହାନ୍ତି ଓ ଶେଷଦେବ ରାୟ ପ୍ରମୁଖ ପରିଚାଳନା କରିଥିଲେ। ତୁରନ୍ତ ଦରମା କାଟ ସମସ୍ୟାର ସମାଧାନ କରାନଗଲେ ଟିପିସିଓଡିଏଲ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ସମାଧାନ ନହେବା ପର୍ଯ୍ୟନ୍ତ ଅହୋରାତ୍ର ଧାରଣା ଦିଆଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ଏହାଦ୍ୱାରା କୌଣସି ଅସୁବିଧା ସୃଷ୍ଟି ହେଲେ ଟିପିସିଓଡିଏଲ କର୍ତ୍ତୃପକ୍ଷ ଓ ଶ୍ରମ ବିଭାଗ ଦାୟୀ ରହିବେ ବୋଲି ସେମାନେ କହିଛନ୍ତି।

Related Articles

Back to top button